ଅଶୋକଙ୍କ ବୟାନ ପରେ ପୁଣି ରାଜସ୍ଥାନ କଂଗ୍ରେସରେ ଝଡ

ନୂଆଦିଲ୍ଲୀ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିମ୍‌ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଦାବି କରିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗେହଲଟ କହିଛନ୍ତି, ଜଣେ ‘ଗଦ୍ଦାର’ (ବିଶ୍ବାସଘାତକ) କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ଗେହଲଟ ଆଜି ପାଇଲଟଙ୍କୁ ୬ ଥର ‘ଗଦ୍ଦାର’ ବୋଲି କହିଛନ୍ତି। ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଗେହଲଟ ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି। ବାରମ୍ବାର ପାଇଲଟଙ୍କୁ ଗଦ୍ଦାର କହିବା ସହ ଗେହଲଟ କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେନି।

ଜଣେ ବ୍ୟକ୍ତି ଯାହା ପାଖରେ ୧୦ ଜଣ ବିଧାୟକ ନାହାନ୍ତି ଏବଂ ଯିଏ ନିଜ ଦଳ ବିରୋଧରେ ବିଦ୍ରୋହ କରୁଛନ୍ତି ସେଭଳି ଲୋକଙ୍କୁ ପାର୍ଟି ହାଇ କମାଣ୍ଡ କେବେ ବି ମୁଖ୍ୟମନ୍ତ୍ରୀ କରିବାକୁ ଚାହିବେ ନାହିଁ। ୨୦୨୦ ମସିହାରେ ପାଇଲଟଙ୍କ ବିଦ୍ରୋହ ପ୍ରସଙ୍ଗରେ ଗେହଲଟ କହିଛନ୍ତି, ବିଜେପି ଏଥିପାଇଁ ପାଣ୍ଠି ଦେଇଥିଲା। ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତା ଏହି କାର୍ଯ୍ୟ ପଛରେ ଥିଲେ ବୋଲି ଗେହଲଟ ‌କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଜଣେ ଗୁର୍ଜର ନେତା ବିଜୟ ସିଂହ ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ପାଇଲଟ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତେବେ ରାଜ୍ୟରେ ଭାରତ ଯୋଡ଼ୋ ଯାତ୍ରାରେ ବାଧା ଉପୁଜିବ। ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ଖୁବ୍‌ଶୀଘ୍ର ଦଳ ନିଷ୍ପତ୍ତି ନେଇପାରେ ବୋଲି ଦଳୀୟ ମହଲରେ ଖବର ପ୍ରଚାରିତ ହେବାପରେ ଏହା କରାଇ ନଦେବା ପାଇଁ ଗେହଲଟ ଦଳ ଉପରେ ଚାପ ସୃଷ୍ଟି କରୁଥିବା କୁହାଯାଉଛି।

Comments are closed.