ଆଜି ମହାପ୍ରଭୁଙ୍କୁ ଅଧରପଣା ଲାଗି : ଜାଣନ୍ତୁ ଏହାର ମହତ୍ତ୍ୱ

ଗତକାଲି ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବାପରେ ଆଜି ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀଜୀଉଙ୍କୁ ଅଧରପଣା ଲାଗି କରାଯିବା ସହିତ ଗରୁଡ ଶୟନର ନୀତି ସମ୍ପନ୍ନ ହେବ । ରାତି ୮ଟା ସୁଦ୍ଧା ୩ ରଥରେ ଅଧରପଣା ଲାଗୁ କରାଯିବାର ସୂଚନା ମିଳିଛି । ଜାଣନ୍ତୁ ଏହି ଅଧରପଣା ନୀତି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ।
ଅଧର ପ୍ରର୍ୟ୍ୟନ୍ତ ଉଚ୍ଚ ଲାଉତୁମ୍ବା ଆକୃତି ମାଟି ପାତ୍ରରେ ପଣା ଦିଆଯାଇଥାଏ। ଏହି ନୀତି ଦ୍ୱାଦଶ ଶତାବ୍ଦୀଠାରୁ ଆରମ୍ଭ ହୋଇଥିବା ବେଳେ ଏହା ରଥଯାତ୍ରା ସମୟରେ ତିନି ରଥକୁ ସୁରକ୍ଷା ଦେଉଥିବା ପାର୍ଶ୍ୱ ଦେବୀ ଦେବତା, ଚଣ୍ଡିଚାମୁଣ୍ଡା, ଭୁତପ୍ରେତ, କିନ୍ନର, ରାକ୍ଷସ ଆଦିଙ୍କ ଉଦ୍ଦେଶ୍ୟରେ ଏହା ଦିଆଯାଇଥାଏ। ଏହା ମାଧ୍ୟମରେ ତାଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ରହିଛି ବିଶ୍ୱାସ। ଶହେ ଲିଟର କ୍ଷୀର, ଛେନା, କଦଳୀ, କର୍ପୂର, ନବାତ, ଗୋଲମରିଚ, ଜାଇଫଳ, ସମେତ ଅନ୍ୟାନ୍ୟ ସୁବାସିତ ଦ୍ରବ୍ୟରେ ଏହା ପ୍ରସ୍ତୁତ ହୋଇଥାଏ । ତିନି ରଥରେ ୯ଟି ମାଟି ପାତ୍ର ସଜ ବସାଯିବ । ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏ ପଣା ଭୋଗ ହେବ। ଏହାପରେ ପଣାହାଣ୍ଡିକୁ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ । ଏହି ପଣାକୁ ଶ୍ରଦ୍ଧାଳୁଙ୍କ ସମତେ ଅନ୍ୟ କାହାକୁ ବି’ ପିଇବା ପାଇଁ ବାରଣ ରହିଛି, ବିଶେଷ କରି ମହିଳାଙ୍କୁ ଏହି ପାତ୍ରକୁ ଛୁଇଁବାକୁ ମନା କରାଯାଇଥାଏ ।

Comments are closed.