ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଶକ୍ତ ଝଟକା !!

ଭୁବନେଶ୍ବର : ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ଜାମିନ ମିଳିଛି । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଏହି ଜାମିନ ମିଳିଥିବା ନେଇ ସୂଚନା ମିଳିଛି ।

ଅନ୍ୟ ପଟେ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଶକ୍ତ ଝଟ୍‌କା ଲାଗିଛି । ସିବିଆଇ ଏତଲା ରଦ୍ଦ କରିବାକୁ ନେଇ ହୋଇଥିବା ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ପ୍ରଭାତଙ୍କ ବିରୁଦ୍ଧରେ ଚାଲୁ ରହିଥିବା ସିବିଆଇ ମାମଲାକୁ ଚାଲୁ ରଖିଲେ ହାଇକୋର୍ଟ । ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିଲେ ପୂର୍ବତନ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ।

ସୂଚନାଅନୁସାରେ, ୨୦୧୩-୧୪ ମସିହାରେ ପ୍ରଥମେ ଅର୍ଥତତ୍ତ୍ବ ସ୍କାମ୍‌ ବାବଦରେ ଜଣାପଡିଥିଲା । ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ଏହି ମହା ଘୋଟାଲାର ତଦନ୍ତ କରି ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ ଏବଂ ସେତେବେଳେ ବିଧାୟକ ଥିବା ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା ସିବିଆଇ । ସ୍ବତନ୍ତ୍ର ସିବିଆଇ କୋର୍ଟ ମାମଲାର ଶୁଣାଣି କରି ପ୍ରଦୀପ ସେଠୀକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଚିଟଫଣ୍ଡ ମାମଲାରେ ଗିରଫ ହେବା ପରେ ପ୍ରଭାତ ତ୍ରିପାଠୀଙ୍କ ରାଜନୈତିକ କ୍ୟାରିୟର ଦୋଛକି ରେ ପଡି ଯାଇଥିଲା . ଏପରିକି ଦଳ ମଧ୍ୟ ତାଙ୍କ ଉପରେ ଭରସା ନକରି ୨୦୧୯ ସାଧାରଣ ନିର୍ବାଚନରେ ବାଙ୍କୀରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି |

Comments are closed.