ନିୟମିତ ଜାମିନ ଆବେଦନକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ ପୁଣି ଜେଲ ଯିବେ ଚିଲିକା ବିଧାୟକ
ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉଚ୍ଚ ନ୍ୟାୟାଳୟରେ ନିୟମିତ ଜାମିନ ଆବେଦନ ଶୁଣାଣି । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ ଶୁଣାଣି ଶେଷ ହୋଇଥିବା ବେଳେ ତାହାର ରାୟ ଶୁକ୍ରବାର ଦିନ ପ୍ରକାଶ ପାଇଛି । ରାୟରେ ଉଚ୍ଚ ନ୍ୟାୟାଳୟ ନିୟମିତ ଜାମିନ କୁ ଖାରଜ କରିଦେଇଥିବା ବେଳେ ଆସନ୍ତା ୨୩ ତାରିଖରେ ବିଧାୟକଙ୍କୁ ବାଣପୁର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏସଏସ ପ୍ରଧାନ ଏବଂ ପୀଡ଼ିତମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ଖଣ୍ଡାୟତରାୟ ଓ ସାସ୍ୱତୀ ମହାପାତ୍ର ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସେମାନେ ବିଧାୟକଙ୍କ ନିୟମିତ ଜାମିନ କୁ କଡ଼ା ବିରୋଧ କରିଥିଲେ । ସେମାନେ ଯୁକ୍ତି ବାଢିଥିଲେ ଯେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ବ୍ଲକ ପରିସରକୁ ଯିବା ଯୁକ୍ତିଯୁକ୍ତ ନଥିଲା । ତତସହିତ ପୋଲିସ ବାରଣ କରିବା ସତ୍ୱେ ବିଧାୟକ ଜାଲ ନମ୍ବର ଥିବା ଗାଡ଼ି ଚଳାଇ ଉଦେଶ୍ୟମୂଳକ ଭାବେ ଲୋକ ଏବଂ ପୋଲିସ ଉପରକୁ ଗାଡ଼ି ଚଢ଼ାଇଥିଲେ । ୧୯୯୨ ମସିହାରୁ ଏଯାବତ ବିଧାୟକଙ୍କ ବିରୋଧରେ ୧୨ ଗୋଟି ଅପରାଧିକ ମାମଲା ଅଛି । ତେଣୁ ସେ ଜଣେ ଅଭ୍ୟାସଗତ ଅପରାଧୀ । ସେହିପରି ଭାବେ ଗତବର୍ଷ ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କୁ ଜାମିନ ମିଳିବା ପରେ ପୁଣି ବିଧାୟକଙ୍କ ବିରୁଦ୍ଧରେ ଦୁଇ ଦୁଇଟା ଅପରାଧିକ ମାମଲା ରୁଜୁ ହୋଇଛି ଯାହାଦ୍ୱାରା ସେ ଜାମିନ ସର୍ତ୍ତ ଉଲଂଘନ କରିଥିବାର ଦର୍ଶାଇଥିଲେ ପୀଡ଼ିତମାନଙ୍କ ଓକିଲ । ତତସହିତ ପୁର୍ବରୁ ସମାନ ଧରଣର ଦୁଇ ଗୋଟି ମାମଲାରେ ଆପେକ୍ସ କୋର୍ଟ ଦେଇଥିବା ରାୟର ମଧ୍ୟ ଉଦାହରଣ ଦେଇଥିଲେ ପୀଡ଼ିତମାନଙ୍କ ଓକିଲ । ବିଧାୟକଙ୍କ ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଜେଲରେ ଦେଖାଯାଏ ତେବେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଜେଲ କର୍ତ୍ତୃପକ୍ଷ କରିପାରିବେ ବୋଲି ଉକ୍ତ ରାୟରେ ଉଲ୍ଲେଖଅଛି । ବର୍ତ୍ତମାନ ବିଧାୟକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟ ର ସମସ୍ତ ଦ୍ୱାର ବନ୍ଦ ହୋଇଯାଇଥିବା ସ୍ଥଳେ ସେ ନିୟମିତ ଜାମିନ ପାଇବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ଆଇନ ବିଶାରଦ ମାନେ କହିଛନ୍ତି ।
Comments are closed.