ଶେଷ ହୋଇଛି କୁମ୍ଭୀର ଗଣନା, ଗତବର୍ଷ ତୁଳନାରେ ଚଳିତବର୍ଷ ବଢିଛି ସଂଖ୍ୟା
ରାଜନଗର(ଧୀରେନ୍ଦ୍ର ମଲ୍ଲିକ) : ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା । ଗତ ୨ ତାରିଖରୁ କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ବରେ ହୋଇଥିବା ଏହି ଗଣନା କାର୍ଯ୍ୟରେ ୨୨ଟି ଟିମ ଜାତୀୟଉଦ୍ୟାନରେ ଥିବା ବିଭିନ୍ନ ନଦୀ ଓ ନାଳ ମଧ୍ୟରେ ଗଣନା କରିଥିଲେ । ପ୍ରଥମଥର ପାଇଁ ଦିନରେ “ପଲିଗନ ସର୍ଚ୍ଚ ମୋବାଇଲ ଆପ” ଦ୍ୱାରା ଏହି ଗଣନା କାର୍ଯ୍ୟ କରାଯାଇଥିବା ବେଳେ ରାତିରେ ପାରମ୍ପରିକ ପଦ୍ଧତିରେ କୁମ୍ଭୀର ଗଣନା କରାଯାଇଥିଲା । ଏହି ଗଣନା ରାଜନଗର, ମହାକାଳପଡ଼ା, ଗହୀରମଥା ଓ କନିକା ରେଞ୍ଜରେ ସମ୍ପାଦନ କରାଯାଇଥିବା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୮୪ ରହିଛି । ଯାହାକି ଗତବର୍ଷ ଗଣନା କରାଯାଇଥିବା ୧୭୬୮ରୁ ୧୬ଟି ଅଧିକ । ଏହି କୁମ୍ଭୀରମାନଙ୍କ ମଧ୍ୟରେ ଆଡ଼ଲ୍ଟ ୩୪୬, ସବ ଆଡଲଟ ୧୫୮, ଜୁଭେନାଇଲ ୩୩୮, ଇଅରଲିଙ୍ଗ ୩୭୮, ସବୁଠାରୁ ଛୋଟ ଅର୍ଥାତ ହାଚଲିଙ୍ଗ ସଂଖ୍ୟା ୫୬୪ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଅନ୍ୟପଟେ ଚଳିତବର୍ଷ ଜାତୀୟଉଦ୍ୟାନ ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିଥିବାରୁ ପରିବେଶବିତମାନେ ଖୁସି ବ୍ୟକ୍ତ କରିଛନ୍ତି । ତେବେ କୁମ୍ଭୀର ଗଣନା ପାଇଁ ଗତ ୨ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୧୨ତାରିଖ ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ।
Comments are closed.