କୂଅ ଭିତରେ ହାତୀଛୁଆ, ସାରାରାତି ତାଣ୍ଡବ ରଚିଲେ ହାତୀପଲ,୧୨ଘଣ୍ଟା ପରେ ହାତୀଛୁଆ ଉଦ୍ଧାର
ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : କୂଅ ଭିତରେ ଖସିପଡିଲା ନିରୀହ ହାତୀଛୁଆ । ଉପରେ ମାଆ ହାତୀ ଏବଂ ସମ୍ପର୍କୀୟଙ୍କ ବିକଳ ଚିତ୍କାର । ମୋ ଛୁଆକୁ ଉଦ୍ଧାର କର । ଅନ୍ୟପଟେ ହାତୀପଲ ଯେପରି ଚିତ୍କାର କରି ସରକାରୀ ଯୋଜନାରେ ଅସନ୍ତୋଷ ପ୍ରକାଶ କରୁଥିବା ଅନୁମାନ କରାଯାଉଥିଲା । ଆଉ ଚିତ୍କାର କରି ପ୍ରଶ୍ନ କରୁଥାନ୍ତି ଆମର ସୁରକ୍ଷା କଥା କେବେ ଚିନ୍ତା କରିବ ସରକାର । ଆମର ସମସ୍ୟା ଦେଖୁଛି ବନବିଭାଗ, ଜାଣୁଛି ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି ସରକାର । ହେଲେ ଯୋଜନା ସୁରକ୍ଷା ଦେଇପାରୁନି ବନ୍ୟପ୍ରାଣୀଙ୍କୁ । ଯୋଜନା ନାମରେ କଷଣର ଶିକାର ହେବା ସହିତ ଶୋଷିତ ହେଉଛନ୍ତି ନିରୀହ ବନ୍ୟପ୍ରାଣୀ । ମାତ୍ର ବଣପାହାଡ ସୁରକ୍ଷା ନାମରେ ଲାଭବାନ ହେଉଛନ୍ତି ଜଙ୍ଗଲ ମାଫିଆ ସାଙ୍ଗକୁ ଖଣିମାଫିଆ । ମାଫିଆଙ୍କ ପ୍ରଭାବରେ ଲୁଚି ଯାଉଛି ବନ୍ୟପ୍ରାଣୀଙ୍କ ସରୁକ୍ଷା ଯୋଜନା କିନ୍ତୁ ନୀରବ ବନବିଭାଗ, ପ୍ରଶାସନ ଓ ସରକାର । କାହିଁକି ବୋଲି ପ୍ରଶ୍ନ ଉଠାଇ ନିରୀହ ବନ୍ୟପ୍ରାଣୀଙ୍କ ବାସସ୍ଥାନ ବଣପାହାଡକୁ ଧ୍ୱସ୍ତବିଧ୍ୱସ୍ତ କରି ରାଜସ୍ୱ ଅର୍ଜନ ଆଳରେ ଅସାଧୁ କର୍ମଚାରୀ, ମାଫିଆଙ୍କୁ ମାଲାମାଲ କରିବାର ସୁଯୋଗ ଦେଇ ବନ୍ୟପ୍ରାଣୀଙ୍କୁ ଅସହାୟ କରି ବାସସ୍ଥଳୀ ଛାଡିବାକୁ ବାଧ୍ୟ କରି କି ଯଶ ଅର୍ଜୁଛ ସରକାର ବୋଲି ବିକଳ ଚିତ୍କାର କରି ପ୍ରଶ୍ନ ଉଠାଉ ଥିବା ଅନୁମାନ କରାଯାଉଥିଲା । ତେବେ ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଘଟଣା ପ୍ରାୟତଃ ନିତିଦିନିଆ ହେବାକୁ ବସିଲାଣି । ମାତ୍ର ମୋରଡା ବ୍ଲକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ସୁରେଇଡିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମର ଏକ କୂଅ ଭିତରେ ହାତୀଛୁଆ ପଡିଥିବାର ଦେଖିବାକୁ ମିଳିଥିଲା । ଉଦ୍ଧାର ପାଇଁ ମାଆହାତୀ ଏବଂ ସମ୍ପର୍କୀୟ ହାତୀମାନେ ଚେଷ୍ଟା କରି କୂଅ ନିକଟରେ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ଉଦ୍ଧାର କରିବାରେ ଅସମର୍ଥ ହୋଇ ଉତ୍ତେଜିତ୍ ଅବସ୍ଥାରେ ରାତିତମାମ୍ ହାତୀପଲ୍ ଚାକୁଣ୍ଡାପଦା ଗାଁରେ ତାଣ୍ଡବଲୀଳା ରଚିଛନ୍ତି । ଘଟଣାରୁ ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ଏକ ୧୫ଟିକିଆ ହାତୀପଲ ଗତ କିଛିଦିନ ଧରି ବିଚରଣ କରୁଥିବାବେଳେ ସବୁଦିନ ଭଳି ଶନିବାର ମଧ୍ୟ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଚାକୁଣ୍ଡାପଦା ଗାଁରେ ପ୍ରବେଶ କରିଥିଲେ । ତେବେ ଗ୍ରାମର ଭୁଟା ପାତ୍ରଙ୍କ ଘର ନିକଟରେ ଥିବା ଏକ ଉନ୍ମୁକ୍ତ କୂଅରେ ଏକ ହାତୀଛୁଆ ପଡିଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ହାତୀପଲଙ୍କ ଦୌରାତ୍ମ୍ୟ । ଘଟଣାସ୍ଥଳରେ ବନବିଭାଗ, ଅଗ୍ନିଶମ ବିଭାଗର ବାରିପଦା ଏବଂ ବେତନଟୀରୁ ଆସିଥିବା ଦୁଇଟି ଟିମ୍ ଉପସ୍ଥିତ ରହିଥିଲେ ସୁଦ୍ଧା ହାତୀପଲ କୂଅ ନିକଟକୁ କାହାରିକୁ ଆସିବାକୁ ଦେଉନଥିବାରୁ ବିଳମ୍ବିତ ହେଉଥିଲା ଉଦ୍ଧାର ପ୍ରକ୍ରିୟା । ପୁନଶ୍ଚ ହାତୀଛୁଆ କୂଆରେ ପଡିଯିବା ପରେ ପୁରା ହାତୀପଲ ଉଗ୍ର ହୋଇ ଉଠିଥିଲେ । ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ । ଅନ୍ୟପଟେ ହାତୀପଲ ଉଦ୍ଧାର କରିବାକୁ ଯାଉଥିବା ବନବିଭାଗକୁ ଗୋଡଇାବା ସହିତ ବନବିଭାଗର ଗାଡିକୁ ଆକ୍ରମଣ କରି ରାସ୍ତା ତଳକୁ ଖସାଇ ଦେଇଛନ୍ତି । ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡି ରହିବା ପରେ ହାତୀଛୁଆ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ଓ ବନବିଭାଗର ଉଦ୍ୟମ ପରେ ଉକ୍ତ କୂଅରେ ପାଣି ପୁରାଇବା ପରେ ହାତୀଛୁଆ ଉପରକୁ ଆସିଥିଲା । ଉପରକୁ ଆସିବା ପରେ ମାଆ ହାତୀ ଛୁଆହାତୀକୁ ଶୁଣ୍ଡରେ ଟାଣି ବାହାରକୁ ଆଣିଥିଲା । ପରେ ସମସ୍ତ ହାତୀ ଜଙ୍ଗଲକୁ ପଳାଇ ଯାଇଥିଲେ ଏବଂ ସୃଷ୍ଟି ହୋଇଥିବା ଅସ୍ୱାଭାବିକ ସ୍ଥିତି ସ୍ୱାଭାବିକ ହୋଇଥିଲା ଆଉ ଗ୍ରାମବାସୀ ଆଶ୍ୱସ୍ତ ହୋଇଥିଲେ । ତେବେ ହାତୀ ସାବକଟି ସୁସ୍ଥ ଥିବା ନେଇ ଶିମିଳିପାଳର ସ୍ୱତନ୍ତ୍ର ରେସକ୍ୟୁ ଡାକ୍ତର ଏବଂ ଡିଏଫ୍ଓ କହିିଛନ୍ତି ।
Comments are closed.