ଚାଷୀ ମାନଙ୍କୁ ଦୁଃଖ ଦେଇଗଲା ବାତ୍ୟା ଜୱାଦ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ଚାଷୀ ମାନଙ୍କ ମୁଣ୍ଡରେ ପଡିଛି ଚଡ଼କ । ଦାଉ ସାଦିଛି ବାତ୍ୟା ଜୱାଦ । ବାତ୍ୟା ଚାଲିଗଲା ସତ କିନ୍ତୁ ଲଗାଣ ବର୍ଷା ଯୋଗୁଁ ଚାଷୀ ମାନଙ୍କ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମି ଧାନ ଫସଲ ଉଜାଡି ଦେଇଛି । ଯାହାକୁ ନେଇ ଭାଙ୍ଗିପଡିଛି ଚାଷୀ କୁଳ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ବାତ୍ୟା ଜନିତ ଲଗାଣ ବର୍ଷା ହୋଇଥିବା ନେଇ ଚିନ୍ତାରେ ପଡ଼ିଛନ୍ତି ଧାନ ଚାଷୀ । ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତରେ ବସବାସ କରୁଥିବା ଲୋକମାନେ ପରିବାର ପୋଷଣ ପାଇଁ ଶତକଡ଼ା ୭୦ ପ୍ରତିଶତରୁ ଅଧିକ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବା କୃଷକ ମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବା ଯୋଗୁଁ ଋଣ ଓ ଧାର କରଜ କରି କୃଷି କାର୍ଯ୍ୟ କରିଥାନ୍ତି । କୃଷକ ମାନେ କରୁଥିବା ବିଭିନ୍ନ ଫସଲ ଗୁଡ଼ିକ ମଧ୍ୟରେ ନୂଆଗାଁ ବ୍ଲକ୍ ର କୃଷକ ମାନଙ୍କ ମୁଖ୍ୟ ଫସଲ ହେଉଛି ଧାନ ।ପ୍ରତି ଜମିରେ ଧାନ ଫସଲ କରାଯାଏ।କୃଷକ ମାନେ ଧାନ ଫସଲ ଅମଳ କରି ମଣ୍ଡିରେ ଧାନ ଦେଇ ଆଣିଥିବା ଋଣ ପରିଶୋଧ କରି ବକେୟା ଅର୍ଥରେ ଅନ୍ୟ ଫସଲ କରି ପରିବାର ପୋଷଣ କରିଥାନ୍ତି । ଚଳିତ ବର୍ଷ ଚାଷ ଜମିରେ ଧାନ ଫସଲ ଭଲ ହୋଇଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇ ଯାଇଛି । ଧାନ କାଟି ବିଲରେ ରଖିଥିବା ଧାନ ଚାଷୀଙ୍କ ଧାନ, ବର୍ଷାରେ ନଷ୍ଟ ହୋଇ ଯାଇଛି । ଯାହା ଫଳରେ ଧାନ ଫସଲ ଅମଳ କରିବା ଆଶା ଚାଷୀ ମାନଙ୍କ ଧୂଳିସାତ ହୋଇଛି । ଏପଟେ ହାତୀ ,ବାରହା ଉପଦ୍ରବ ଯୋଗୁଁ ମଧ୍ୟ ଧାନ ଫସଲ ନଷ୍ଟ ହେଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି । ଧାନ ଚାଷୀ ମାନଙ୍କ ସମସ୍ୟା କୁ ଗୁରୁତ୍ବ ଦେଇ ସରକାର କ୍ଷତିପୂରଣ ଦେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।

Comments are closed.