ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧି : କଂଗ୍ରେସ
ଭୁବନେଶ୍ୱର – ଏଆଇସିସି ସଂପାଦକ ତଥା କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା ସଂସଦରେ ଚାଷୀମାନଙ୍କର ମାସିକ ଆୟ, ଖର୍ଚ୍ଚ ତଥା ଆୟ ଦ୍ୱିଗୁଣିତ କରିବା ନେଇ ସରକାରଙ୍କ ପ୍ରତିବଦ୍ଧତା ତଥା ପ୍ରଗତିର ତଦାରଖର କାର୍ଯ୍ୟପ୍ରଣାଳୀକୁ ନେଇ ଉଠାଇଥିବା ଅଣତାରକା ପ୍ରଶ୍ନର ଲିଖିତ ଉତରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଡ଼ିଶାରେ ରହୁଥିବା ଚାଷୀଙ୍କ ମାସିକ ଆୟ ସାରାଦେଶରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଓ ଆୟ ଟ. ୫.୧୧୨ ଟଙ୍କା ବୋଲି ଜାତୀୟ ପରିସଂଖ୍ୟାନ ସଂସ୍ଥା ୨୦୧୮ ଜୁଲାଇରୁ ୨୦୧୯ ଜୁନ ମଧ୍ୟରେ ୭୭ ତମ ସର୍ଭେରୁ ଜଣାପଡ଼ିଅଛି କହିଥିଲେ । ଉକ୍ତ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ଭବନ ସଭାକକ୍ଷରେ ପିସିସି ମୁଖପାତ୍ର ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଉଭୟ ମୋଦୀ ନେତୃତ୍ୱ ଏନ୍ଡିଏ ସରକାର ଓ ଓଡ଼ିଶାର ବିଜଦ ନେତୃତ୍ୱ ନବୀନ ସରକାରଙ୍କ କୃଷକମାରଣ ନୀତି ଉପରେ ଘୋର ବର୍ଷିଛନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାଲାଗି ଲଗାତାର ମିଥ୍ୟା ପ୍ରତିଶ୍ରୁତି ଦେଇଆସୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖାର ପର୍ଦ୍ଦାଫାସ ହୋଇଛି । ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଓ କେନ୍ଦ୍ର ସରକାରଙ୍କ ‘ପିଏମ-କିଷାନ’ ଯୋଜନା ଯେ ଫେଲ ମାରିଛି ଏହା ସ୍ପଷ୍ଟ ଅନୁମେୟ । କେନ୍ଦ୍ରର ଏନ୍.ଡିଏ ସରକାର ୨୦୧୬ ଏପ୍ରିଲରେ ଆନ୍ତଃମନ୍ତ୍ରାଳୟ କମିଟି ଗଠନ କଲେ । କମିଟି ୨୦୧୮ ସେପ୍ଟେମ୍ବର ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ କେନ୍ଦ୍ରସରକାରଙ୍କୁ ଦେଲାପରେ ୨୦୨୨ ସୁଦ୍ଧା ସମଗ୍ର ଦେଶରେ ଚାଷୀଙ୍କ ଆୟ, ୨ଗୁଣ ବୃଦ୍ଧି କରିବାକୁ ଯେଉଁ ରଣନୀତି କେନ୍ଦ୍ରସରକାର ନେଉଛନ୍ତି ଏହା କେବଳ ମିଥ୍ୟା ପ୍ରଚାର ଓ ପ୍ରସାର ନିମନ୍ତେ ଉର୍ଦ୍ଦିଷ୍ଟ ବୋଲି ଶ୍ରୀଯୁକ୍ତ ଗୁରୁ କହିଛନ୍ତି । ଶତାଧିକ ଚାଷୀ ସଂଗଠନର ବର୍ଷାଧିକ ନିରନ୍ତର ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଦଳ ସମର୍ଥନ କରି ଯେଉଁ ଚାପ ସୃଷ୍ଟି କରିଆସିଥିଲା ଶେଷରେ ମୋଦୀ ମହାଶୟ ମୁଣ୍ଡ ନୂଆଁଇବା ସହ ୩ଗୋଟି କଳା କୃଷି ଆଇନକୁ ବାଧ୍ୟହୋଇ ବାତିଲ କଲେ ଓ ଏହା ପୂର୍ବରୁ ମୋଦୀ ମହାଶୟଙ୍କ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଲଖୀମପୁର ଖେରୀ ଘଟଣାରେ ଯେଉଁ ନାରକୀୟ କାଣ୍ଡ କଲେ ଏହା ସର୍ବାଦୌ ନିନ୍ଦନୀୟ ଓ ସରକାରଙ୍କ ଚାଷୀମାନଙ୍କ ପ୍ରତି କେତେ ଭଲ ପାଇବା ସହଜେ ଅନୁମେୟ । ନବୀନବାବୁ ଅମଳରେ ବର୍ଷକୁ ବର୍ଷ ଚାଷୀମାନେ ଆତ୍ମହତ୍ୟା କରିବା ଘଟଣା ବୃଦ୍ଧି ପାଇବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାରେ ଅସମର୍ଥତା, କୃଷିଋଣ ଛାଡ଼ କରିବା, କ୍ଷେତକୁ ପାଣି ଓ ବିଜୁଳି ସଂଯୋଗରେ ମନ୍ଥରତା, ମଣ୍ଡିରେ ଖାଦ୍ୟଶସ୍ୟ ସଠିକ ସମୟରେ କ୍ରୟ ନକରିବା ଆଦି ଚରମସୀମା ଲଙ୍ଘନ କରିଛି ବୋଲି ଶ୍ରୀଯୁକ୍ତ ଗୁରୁ ନବୀନ ସରକାରଙ୍କ ଚାଷୀକୂଳ ପ୍ରତି କେତେ ଦରଦ ବୋଲି ପ୍ରଶ୍ନ କରିଛନ୍ତି? କେବଳ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକାଉଂଟରେ କିଛି ଟଙ୍କା ପୈଠକରି ଅନ୍ନଦାତାଙ୍କ ମୁହଁରେ ଯେଉଁ ମଲମ ମାରିବାକୁ ଉଦ୍ୟମ କରୁଛନ୍ତି । ଏହାକୁ ଅନ୍ନଦାତାମାନେ କେବେବି ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀଯୁକ୍ତ ଗରୁ ଦର୍ଶାଇଛନ୍ତି । ବିଜେପି- ବିଜେଡ଼ି ୨ଦଳ ହେଲେବି ଉଭୟ ଦଳର ଆତ୍ମା ଏକ । କେବଳ ନିର୍ବାଚନ ସମୟରେ କଳିର ଅଭିନୟ କରୁଥିବା ୨ଦଳ ନିର୍ବାଚନ ପରେ ଏକ ହୋଇ କାର୍ଯ୍ୟକରି ଚାଷୀମାନଙ୍କ ବୃହତର ସ୍ୱାର୍ଥଲାଗି ମୁହଁ ନଖୋଲିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଗୁରୁ କହିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ବିଧାନସଭାରେ ୨୯୩୦ ଟଙ୍କାର ସଂକଳ୍ପ ପାରିତ ହେଲେବି ଏହାକୁ କାର୍ଯ୍ୟକାରୀ ନକରିବା, ଏଫସିଆଇ ଧାନକ୍ରୟ କରିବାରେ ପାତର ଅନ୍ତର କରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ଦୁଭାର୍ଗ୍ୟପୂର୍ଣ୍ଣ ଅଟେ । ଉଭୟ ସରକାର ଅନ୍ନଦାତାଙ୍କ ପେଟରେ ଲାତ ମାରିବା ବନ୍ଦ କରନ୍ତୁ ଓ ଚାଷୀ ବିରୋଧି କାର୍ଯ୍ୟରୁ ନିବୃତ ରୁହନ୍ତୁ ନଚେତ ପରିଣାମ ଭୟଙ୍କର ହେବ ବୋଲି ଶ୍ରୀଯୁକ୍ତ ଗୁରୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।
Comments are closed.