ଗଛରେ ପିଟିହେଲା କାର, ୨ଗୁରୁତର

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) – ଗଛରେ ଏକ ଏସୟୁଭି କାର ପିଟି ହୋଇ ଦୁଇ ଜଣ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଛକ ନିକଟରେ । ସୂଚନା ଅନୁସାରେ ବାଣପୁର ବ୍ଲକ ଓଡଗାଁ ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ପୁଅ ପବିତ୍ର ପ୍ରଧାନ(୨୭) ଆଜି ପୂର୍ବାହ୍ନରେ ନିଜ ମହିନ୍ଦ୍ରା ଏସୟୁଭି ୫୦୦ ଗାଡ଼ିରେ ବାଲୁଗାଁରୁ ଓଡଗାଁ ଫେରୁଥିଲେ । ଉକ୍ତ ଗାଡ଼ିରେ ପବିତ୍ରଙ୍କ ସହଯୋଗୀ ତଥା ଓଡଗାଁ ଗ୍ରାମର ବିଦ୍ୟାଧର ସାହୁ(୫୦) ମଧ୍ୟ ଉପସ୍ଥିତ ଥିଲେ । ତେବେ ଅସାବଧାନତା କାରଣରୁ ପବିତ୍ର ବରଡ଼ି ଛକ ନିକଟରେ ଏକ ଗଛରେ ନିଜ ଗାଡିକୁ ପିଟିଦେଇଥିଲେ । ଯାହାଦ୍ୱାରା ଗାଡ଼ିରେ ଉପସ୍ଥିତ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଗାଡିର ସମ୍ମୁଖ ପାର୍ଶ୍ଵ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ତେବେ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବାରବର୍ଗ ସଙ୍ଗେସଙ୍ଗେ ଖବର ପାଇ ଉଭୟଙ୍କୁ ବାଣପୁର ଡାକ୍ତରଖାନା ନେଇଥିବାବେଳେ ଉଭୟଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବାର ଅନୁମାନ କରାଯାଉଛି । ଅନୁରୂପ ଭାବେ ଉଭୟଙ୍କ ଶରୀରରେ ଏକାଧିକ କ୍ଷତ ହୋଇଥିବାର ମଧ୍ୟ ଜଣାପଡ଼ିଛି । ଡାକ୍ତର ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇ ଦେଇଛନ୍ତି ।

Comments are closed.