ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧି ବିଦ୍ୟୁତ ତାର ଚୋରୀ କଲେ ଦୁର୍ବୁତ୍ତ

ବାଲିକୁଦା, ଅଜୟ ରାଉତ : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବାଲିକୁଦା ବିଦ୍ୟୁତ ବିଭାଗ ୩୩କେଭି ଷ୍ଟ୍ରକଚରରେ ଗତ କାଲି ବିଳମ୍ବିତ ରାତିରେ ପ୍ରାୟ୧୦ ରୁ୧୫ଜଣ ଦୁର୍ବୁତ୍ତ ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଷ୍ଟ୍ରକଚର ଭିତରେ ପଶି କାର୍ଯ୍ୟରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିବା ବାଲିକୁଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କାର୍ଯ୍ୟରତ ଦୁଇ କର୍ମଚାରୀ ଅଭିରାମ ରଥ(୩୩) ଓ ଦିବାକର ବେହେରା ସାଥିହୋଇ ଡିଉଟି କରୁଥିବା ସମୟରେ କିଛି ଦୁର୍ବୁତ୍ତ ହଟାତ ଭିତରକୁ ପ୍ରବେଶ କରିବା ସହ ଅତର୍କିତ ଆକ୍ରମଣ କରି ଗୋଡ ହାତ ବାନ୍ଧି ପକାଇ ପାଖରେ ଥିବା ମୋବାଇଲ, ମନୀପର୍ସ ନେବା ସହ ଅଫିସର ଲ୍ୟାଣ୍ଡ ଫୋନ କନେକସନ କାଟି ଦେଇଥିଲେ ଏବଂ ହାତରେ ପିନ୍ଧିଥିବା ଏକ ସୁନା ମୁଦି ଛଡାଇ ନେଇ ଆଗପଟୁ କବାଟ ବନ୍ଦ କରି ଏକ ଗାଡି ଯୋଗେ ଷ୍ଟ୍ରକଚର ମଧ୍ୟରେ ଥିବା ବ୍ୟଦୁତ ସାମଗ୍ରୀ ଚୋରି କରି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବାଲିକୁଦା ଏସଡିଓ ଦେବଦତ୍ତ ଉପାଧ୍ୟାୟ ଅଭିଯୋଗରେ ଦର୍ଶାଇଛନ୍ତି । ଡିଉଟିରେ ଥିବା ଦୁଇଜଣ ପରସ୍ପର ସହାୟତାରେ ବନ୍ଧା ହୋଇଥିବା ହାତ ଗୋଡ ଖୋଲି ଫୋନ ତାର ସଂଯୋଗ କରି ଏହି ଘଟଣା ସମ୍ପର୍କରେ ଏସଡିଓ ଦେବଦତ୍ତ ଉପାଧ୍ୟାୟଙ୍କୁ ଅବଗତ କରାଇଥିଲେ। ପରେ ଏସଡ଼ିଓ ଏ ସମ୍ପର୍କରେ ନିକଟସ୍ଥ ବାଲିକୁଦା ଥାନା ଅଧିକାରୀ ସର୍ବେଶ୍ୱର ବେହେରାଙ୍କୁ ଅବଗତ କରାଇଥିଲେ ଓ ପୁଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁଇ କର୍ମଚାରୀଙ୍କ ବୟାନ ନେବା ସହ ଏକ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି।

Comments are closed.