୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍

ଭୁବନେଶ୍ୱର,୨୨ ।୨: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ‘ମହାମାରୀ କରୋନା ପାଇଁ ରାଜ୍ୟର ବିକାଶ ପ୍ରଭାବିତ ହୋଇଛି । ରାଜ୍ୟ ସରକାର କରୋନାର ସଫଳ ମୁକାବିଲା କରିଛନ୍ତି । କରୋନା ସତ୍ତେ୍ୱ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଓଡିଶାକୁ ପ୍ରଶଂସା କରିଛନ୍ତି । ସାଢେ ୪କୋଟି ଓଡିଆଙ୍କ ନିକଟରେ ଆମେ କୃତଜ୍ଞ । କୋଭିଡ ପରିଚାଳାନରେ ସରକାରଙ୍କୁ ସମସ୍ତେ ସହଯୋଗ କରିଛନ୍ତି ।’

୨୦୨୧-୨୨ ପାଇଁ ବ୍ୟୟ ଅଟକଳ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ରହିଥିବା ବେଳେ ସେଥିରେ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା ରହିଛି । କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ପାଇଁ ୩ ହଜାର ୫୦ କୋଟି ଟଙ୍କା, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ ୬,୯୫୦ କୋଟି ଟଙ୍କା ରହିଛି । ଜଳ ସଂଚୟନ, ବୃହତ ଉଠାଜଳସେଚନ ପ୍ରକଳ୍ପ ହାତକୁ ନିଆଯିବ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଆଡିବନ୍ଧ ନିର୍ମାଣ କରାଯିବ । କୃଷି ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବାକୁ ଆକଳନ କରାଯାଇଛି ।

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ରେ ‘ଅଗ୍ରଗାମୀ ରାଜ୍ୟ’ ଭାବେ ପୁରସ୍କୃତ ହୋଇଛି । ସହର ଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କା ରହିଛି । ଓଡିଶା ସମନ୍ୱିତ ପରିମଳ ଉନ୍ନୟନ ପ୍ରକଳ୍ପ ଅଧିନରେ ଏହା ମିଳିବ । ଅର୍ବାନ ସ୍ୱରେଜ ପ୍ରକଳ୍ପରେ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କା, ସ୍ୱଚ୍ଛ ଭାରତ ମିଶନରେ ସହରାଞ୍ଚଳ ପାଇଁ ୨ ଶହ ୧୫ କୋଟି, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୭୧୦ କୋଟି ଟଙ୍କା, ବାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା, ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି, ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ ହୋଇଛି ।

କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ । ଜଳସେଚନ ପାଇଁ ମୋଟ ୨,୨୫୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ଟଙ୍କା, ପାର୍ବତୀଗିରି ଜଳସେଚନ ପାଇଁ ମୋଟ ୭୬୦ କୋଟି ଟଙ୍କା, ଗଭୀର କୂପ ଖନନ ପାଇଁ ୩୮୯ କୋଟି, ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି, ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି, ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି, ମତ୍ସଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି, ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ୍ ସେବା ଆରମ୍ଭ ହେବ । ରାଜ୍ୟ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ।

କୃଷି ବଜେଟ ପାଇଁ ମୋଟ ୧୭,୪୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ । ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ହେବାର ଯୋଜନା ରହିଛି । ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

SCB ବିକାଶ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସ୍ବାସ୍ଥ୍ୟ ବୀମା ପାଇଁ ୧୩୫୩ କୋଟି ଟଙ୍କା, ସାମାଜିକ ସହାୟତା ଯୋଜନା ପାଇଁ ୯୨୩ କୋଟି, ମମତା ଯୋଜନା ପାଇଁ ୨୭୯ କୋଟି ଟଙ୍କା, ବସୁଧା ଯୋଜନା ପାଇଁ ୨ ହଜାର ୪୧୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ୨୦୨୧-୨୨ରେ ୫ ଲକ୍ଷ ପକ୍କା ଘର ନିର୍ମାଣ ହେବ । ଏଥିପାଇଁ ୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ । କଟକ ବସ୍‌ ଟର୍ମିନାଲ ପାଇଁ ୧୦୦ କୋଟି ବ୍ୟୟ ବରାଦ ହୋଇଛି । ମିଶନ ଶକ୍ତି ବାବଦକୁ ୩୧୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରତି ବ୍ଲକରେ ନିର୍ମାଣ ହେବ ମିଶନ ଶକ୍ତି ଗୃହ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୩୫ କୋଟି, ଫ୍ରି ଟ୍ରମା କେୟାର ପାଇଁ ୪୦ କୋଟି ଟଙ୍କା, ବସ୍ତି ବାସିନ୍ଦାଙ୍କ ଗୃହ ନିର୍ମାଣ ପାଇଁ ୩୦୦ କୋଟି ବ୍ୟୟ ବରାଦ ହୋଇଛି ।

Comments are closed.