ଆରଡି ଛାତ୍ରୀ ମୃତ୍ୟୁ ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୨୮ ।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ଗତକାଲି ଘଟିଥିବା ଏହି ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ଉକ୍ତ ୨ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଯାଜପୁର ଏସପି ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିଚୟ ଦେଇ ନାହାନ୍ତିି ।

ଖବର ମୁତାବକ, ଯାଜପୁର-କୁଆଖିଆ ମୂଳାପାଳ ଦିଆଲିଖଣ୍ଡି ରାସ୍ତା କଡରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୁଆଖିଆ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇ ଘଟଣାର ତଦନ୍ତ ଜାରି ରଖିଛି । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଭିଜୁଆଲ୍ ରୁ ଅପରାଧୀଙ୍କୁ ଚିହ୍ନଟ କରିଛି ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଛି ।

ମୃତ ଛାତ୍ରୀଙ୍କ ନିକଟରୁ ପୁଲିସ ଏକ ଏୟାର ବ୍ୟାଗ୍ ଜବତ କରିଥିଲା । ଉକ୍ତ ବ୍ୟାଗ୍ରୁ ଛାତ୍ରୀଙ୍କ ପରିଚୟପତ୍ର, ଟେଲିଫୋନ୍ ନମ୍ବର, ପୋଷାକ ପତ୍ର, ପାଠ୍ୟ ପୁସ୍ତକ ମିଳିଛି । ମିଳିଥିବା ମୋବାଇଲ ନମ୍ବରକୁ ଆଧାରକରି ପୁଲିସ ତା’ର ପରିବାରବର୍ଗଙ୍କୁ ଖବର ଦେଇଥିଲା । ମୃତ ଛାତ୍ରୀ ଜଣଙ୍କ ହେଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷ ଦର୍ଶନଶାସ୍ତ୍ର ସମ୍ମାନ ଛାତ୍ରୀ ଝରାଫୁଲ ନାୟକ ବୋଲି ଜଣାପଡିଥିଲା । ୨୦ ବର୍ଷୀୟ ଝରାଫୁଲଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପଶି ଗ୍ରାମରେ । ସେ ରମାକାନ୍ତ ନାୟକଙ୍କ ଝିଅ ବୋଲି ଜଣାଯାଇଛି ।

Comments are closed.