ହୋଟେଲକୁ ନେଇ ଆକ୍ଟର ସୋନୁ ସୁଦଙ୍କ ନାମରେ ମାମଲା ରୁଜୁ କଲା ବିଏମସି
ମୁମ୍ବାଇ,୭ ।୧: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ଉପୁଜିଛି । ସୋନୁଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ନିକଟରେ ଅଭିଯୋଗ କରିଛି । ଅଭିଯୋଗ ହେଉଛି କି, ସୋନୁ ସୁଦ୍ ଜୁହୁରେ ଥିବା ୬ ମହାଲା ବିଶିଷ୍ଟ ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ବିଏମସି କହିଛି କି ସୋନୁ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇନାହାନ୍ତି । ବିଏମସି ପକ୍ଷରୁ ସୋନୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ସୋନୁ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ ଧାରା-୭ କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।
ଏପରି ବି ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଠାରେ କୁହାଯାଇଛି ଯେ, ବିଏମସିରୁ ସୋନୁଙ୍କୁ ଏକ ନୋଟିସ ପଠାଯାଇଥିଲା । କିନ୍ତୁ ସୋନୁ ଏହାକୁ ଅଣଦେଖା କରି ବିଲ୍ଡିଂ କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ ସୋନି ଏହାକୁ ଖଣ୍ଡନ କରି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ପ୍ରଥମେ ଏହି କୋଠାର ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଏମସିଠାରୁ ଅନୁମତି ନେଇଛନ୍ତି ଓ ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି ।
ତେବେ ବିଏମସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ । ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ ।
Comments are closed.