ଗୁଣି ସନ୍ଦେହରେ ବିଷ୍ଠା ଖୁଆଇବା ଉଦ୍ୟମରେ ଗୋଟିଏ ପରିବାରର ୫ ଜଣ ଗିରଫ

ଉମରକୋଟ, ସନ୍ତୋଷ କୁମାର ଶତପଥି : ଗୁଣି ସନ୍ଦେହରେ ବିଷ୍ଠା ଖୁଆଇବା ଉଦ୍ୟମରେ ଗୋଟିଏ ପରିବାରର ୫ ଭାଇ ଗିରଫ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜମାଦାରପଡା ଗ୍ରାମରେ । ଯେଉଁଠି ଏବେବି ଲୋକଙ୍କ ମନରେ ଅନ୍ଧବିଶ୍ବାସ ଭରି ରହିଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କୁ ଗୁଣି ସନ୍ଦେହ କରି ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ମାନେ ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବା ଉଦ୍ୟମ କରୁଥିବା ଅଭିଯୋଗରେ ୫ ଜଣ ଗିରଫ ହୋଇଥିବା ଖବର ଏବେ ଚହଳ ସୃଷ୍ଟି କରିଛି । ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଜାମାଦାରପଡା ଗ୍ରାମର ଜଣେ ଯୁବକ ଦେବିସିଂ ହାତି (୨୬) ଗତ ୪ ତାରିଖ ଦିନ ସାପ କାମୁଡା ରେ ମୃତ୍ୟୁ ବରଣ କରିଥିଲେ । ପ୍ରଥମେ ଡାକ୍ତର ଖାନା ନେବା ପରେ ଦେବିସିଂଙ୍କ ଜୀବନ ନବଂଚିବାରୁ ଅନ୍ଧ ବିଶ୍ବାସର ବସବର୍ତ୍ତି ହୋଇ ଗୁଣିଆର ସହଯୋଗ ଲୋଡିଥିଲେ । ମୃତକଙ୍କ ପରିବାର ଲୋକେ ଛତିଡଗଡର ଜଣେ ଗୁଣିକୁ ଡାକି ଘରେ ପୂଜା ପାଠ କରିଥିଲେ। ଗୁଣିଙ୍କ କହିବା ପ୍ରକାରେ ଉକ୍ତ ଗ୍ରାମର ହିରାସିଂ ଦଳେଇ ନାମକ ବ୍ୟକ୍ତି ଗୁଣି କରି ସାପ ଦ୍ବାରା ଯୁବକକୁ ହତ୍ୟା କରିଥିବା ନେଇ କହିଥିଲା। ଗୁଣି କଥାରେ ବିଶ୍ବାସ କରି ମୃତ ଯୁବକର ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ ବୈଠକ ଡକାଇଥିଲେ। ବୈଠକ ରେ ଗାଁ ଦାଣ୍ଡରେ ହିରାସିଂଙ୍କୁ ମାଡ ମାରିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଶେଷରେ ମୁହଁକୁ ଖୋଲି ବିଷ୍ଠା ଖୁଆଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଗତ ୨୧ ତାରିଖ ଦିନ ଚନ୍ଦାହାଣ୍ଡି ଥାନାରେ ଏତଲାରେ ଦର୍ଶାଇଛନ୍ତି ହିରାସିଂ । ଏତଲାକୁ ଆଧାର କରି ଚନ୍ଦାହାଣ୍ଡି ଥାନା ଅଧିକାରୀ ତଦନ୍ତ ପରେ ଅମରୁ ହାତି, ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି ଓ ଗୋବର୍ଧନ ହାତି ଆଦି ୫ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Comments are closed.