ଲାଲୁଙ୍କୁ ଭେଟିଲେ ନୀତିଶ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତି ଚାଲିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପାରସ ହସ୍ପିଟାଲ ପରିଦର୍ଶନ କରି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାସହ ନୀତିଶଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କ ସହ ପିତାଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ।
ତେଜସ୍ବୀ ବୁଧବାର କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ବାପାଙ୍କୁ ସିଙ୍ଗାପୁରକୁ ନିଆଯିବ। ଲୋକମାନେ ନିଜ ଘରୁ ପ୍ରାର୍ଥନା କରିବା ଉଚିତ୍‌। ଡାକ୍ତରଖାନାରେ ଭିଡ଼ ହେତୁ ସଂକ୍ରମଣ ହେବାର ଆଶଙ୍କା ଅଛି। ଏହା ଅନ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିବ। ତେଣୁ ସେଠାରେ ଭିଡ଼ କରନ୍ତୁ ନାହିଁ।
ରାଜନୀତିରେ ଏଭଳି ପ୍ରସଙ୍ଗରେ ସମସ୍ତେ ଏକଜୁଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଫୋନରେ ଲାଲୁଙ୍କ ବିଷୟରେ ପଚାରି ବୁଝିଥିଲେ।
ସୂଚନାଯୋଗ୍ୟ, ପାଟନାରେ ଥିବା ରାବ୍ରି ଦେବୀଙ୍କ ସରକାରୀ ବାସଭବନରେ ଲାଲୁ ଯାଦବ ପାହାଚରୁ ଖସିପଡିଥିଲେ। ତାଙ୍କ କାନ୍ଧର ହାଡ ଭାଙ୍ଗିଯାଇଥିଲା। ଏହାପୂର୍ବରୁ ସେ ଅନେକ ରୋଗରେ ପୀଡିତ ଅଛନ୍ତି।

Comments are closed.