ଅପେକ୍ଷାର ଅନ୍ତ, ଆସିଲା ମୌସୁମୀ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଲୁଚକାଳି ଖେଳିବା ପରେ ମୌସୁମୀ ପୂରା ଓଡ଼ିଶା ଛୁଇଁଛି । ଆଗରୁ ୬ଜିଲ୍ଲା ସ୍ପର୍ଶ କରି ସୁପ୍ତ ହୋଇ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ବାକି ୨୪ ଜିଲ୍ଲାରେ ପ୍ରବେଶ କରିଛି । ପାଣିପାଗ ବିଭାଗ ଏହା ଘୋଷଣା କରିଛି । ଆସନ୍ତା ୫ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ଉତ୍ତର ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେ଼ଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବାକି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୨ରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୩,୨୪ ଓ ୨୫ ତାରିଖରେ ବି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ।

ଆସନ୍ତା ୫ ଦିନ ଲଗାଣ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ସତର୍କତା ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଏଥିପାଇଁ ସତର୍କ କରାଯାଇଛି । ୟେଲୋ ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାରେ ପ୍ରଶାସନିକ କଳ ସଜାଗ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି ।

Comments are closed.