ଧାନ ଗଦାରେ ନିଆଁ ଲାଗି ୪୦ ବସ୍ତା ଧାନ ପୋଡି ନଷ୍ଟ

ମାଲକାନଗିରି, ଅପୁର୍ବ ଥଣ୍ଡର : ପଡ଼ିଆ ବ୍ଳକ ଅନ୍ତର୍ଗତ ଗୁଟାଗୁଡା ଗ୍ରାମ ନିକଟରେ ଜଣେ ଲୋକଙ୍କ ଚାଷ ଜମିରେ ନିଆଁ ଲାଗି ପ୍ରାୟ ୪୦ ବସ୍ତା ଧାନ ପୋଡି ହୋଇଯାଇଥିବା ଜଣାପଡିଛି । ସୂଚନା ମୁତାବକ ଅପରାହ୍ନ ପ୍ରାୟ ୪ ଟା ବେଳେ ପଡିଆ ଗ୍ରାମର ମୁଗୁଳା ଶ୍ରୀନୁ ଙ୍କ ଧାନ ଖଳାରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ନିଆଁ କ୍ଷଣିକ ମଧ୍ୟରେ ପାଳ ଗଦା ଓ ତାପରେ ପାଖରେ ଥିବା ଧାନ ବସ୍ତା ଗୁଡିକୁ ଆୟତ୍ତ କରି ସମ୍ପୂର୍ଣ୍ଣ ଧ୍ଵଂସ କରିଦେଇଥିଲା । ସ୍ଥାନୀୟ ଲୋକ ଏହି ଧାନ ଖଳାରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପଡିଆ ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂ, ବିରେନ୍ଦ୍ର ସିଂ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ କାବୁ କରିଥିଲେ । ନିଆଁ ଲାଗିବାର କାରଣ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ କାହାର ଅସାବଧାନତା ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏଥିସହ ସ୍ଥାନୀୟ ଆର.ଆଇ ଚିନ୍ମୟ ମହାପାତ୍ର ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ରିପୋର୍ଟ୍ କରିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଶ୍ରୀ ମୁଗୁଳା ଙ୍କ ଜମିରୁ ଅମଳ କରାଯାଇଥିବା ଧାନର କିଛି ଅଂଶକୁ ଗତ ଦିନରେ ପଡିଆ ମଣ୍ଡିରେ ବିକ୍ରି କରିଥିବା ବେଳେ ଅବଶିଷ୍ଟ ଧାନକୁ ଆଗାମୀ ୨୮ ତାରିଖ ଦିନ ବିକ୍ରି କରିବାର ଥିଲା । ତେବେ ସରକାରଙ୍କ ପକ୍ଷରୁ ଧାନ କିଣା ବନ୍ଦ କରାଯିବା ପରେ ଚିନ୍ତିତ ହୋଇପଡିଥିବା ମୁଗୁଳା ଙ୍କ ଧାନ ଖଳା ପୋଡି ହୋଇଯିବା ପରେ ଆଗାମୀ ଦିନରେ ଧାର କରଜ ଶୁଝିବେ କିପରି ବୋଲି ଅସହାୟ ଭରା ଗଳାରେ କହିଛନ୍ତି । ଶ୍ରୀ ମୁଗୁଳା ଙ୍କ ଧାନ ଖଳାରେ ନିଆଁ ଲାଗି ନଷ୍ଟ ହୋଇଥିବା ଧାନର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

Comments are closed.