ମା’ ସମଲେଶ୍ବରୀ ପୀଠର ବିକାଶ ପାଇଁ ୨୦୦ କୋଟିର ‘ସମଲେଇ ଯୋଜନା’

ପଶ୍ଚିମଓଡ଼ିଶାର ପ୍ରସିଦ୍ଧ ପୀଠ ମା’ ସମଲେଶ୍ଵରୀଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ କରିଛନ୍ତି। ଏ ନେଇ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ସମଲେଇ ଯୋଜନା ରେ ମନ୍ଦିର ବିକାଶ ହେବା ସହ ଏଠାକୁ ଅଧିକ ପଯ୍ୟଟକ ଆସିବା ଆଶା କରାଯାଉଛି ।

ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମଲେଶ୍ଵରୀ ଟେମ୍ପଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ ଇକୋନୋମି ଇନିସିଏଟିଭ୍‌ସ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କାର୍ଯ୍ୟ କରାଯିବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଏହି ଯୋଜନାରେ ମା’ଙ୍କ ମନ୍ଦିର ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ।

ମାଁ ଙ୍କ ମୁଖ୍ୟ ମନ୍ଦିର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ  କରାଯିବ। ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ। ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏଥିସହ ଯାତ୍ରୀମାନଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତା’ସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍‌, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ। ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍ଧ ହେବ। ବିଶେଷ କରି ମନ୍ଦିର ନିକଟରେ ରହୁଥିବା ସେବାୟତମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯିବ।

ରାଜ୍ୟ ସରକାର ପଶ୍ଚିମ ଓଡିଶାର ପ୍ରମୁଖ ପୀଠ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ବିକାଶ ପାଇଁ ୨୦୦ କୋଟି ର ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା କାଯ୍ୟକାରି ହେବା ପରେ ମାଁ ଙ୍କ ପୀଠ ସାରା ଦେଶରେ ଅଧିକ ପ୍ରଶିଦ୍ଧ ହେବା ସହ ଅଧିକ ପଯ୍ୟଟକ କୁ ଏଠାକୁ ଆସିବା ଆଶା କରାଯାଉଛି ।

Comments are closed.