ବଜ୍ରପାତ ଯୋଗୁଁ ରାଜ୍ୟରେ ଚାଲିଗଲାଣି ୧୧ ଜୀବନ

ଆଜି ରାଜ୍ୟରେ ବର୍ଷା ସହ ବଜ୍ରପାତ ଘଟି ୧୧ ଜଣଙ୍କର ମୃ୍ତ୍ୟୁ ହୋଇଥିବାର ସୂଚନା ମିଳିଛି । ସେଥିରୁ ବାଲେଶ୍ୱର ଜିଲ୍ଲାର ୪ଜଣଙ୍କର ମୃତ୍ୟୁ ହୋଇଛି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସିଖରପୁର ପଞ୍ଚାୟତର ମହୁଲିଆ ଗାଁର ଯୋଗେନ୍ଦ୍ର ବେହେରା ଗାଈ ଚରାଇବାବେଳେ, ବସ୍ତା ଥାନା ଅନ୍ତର୍ଗତ ବରୁଣଗାଡ଼ିଆ ଗାଁର ରୁଦ୍ରରାଜ ବେହେରା ଓ ମାଙ୍କଡ଼ାଗାଡ଼ିଆର ମଧୂସୁଦନ ବେହେରାଙ୍କର ବିଲରେ କାମ କରୁଥିବା ଅବସ୍ଥାରେ ବଜ୍ରଘାତ ଘଟି ମୃତ୍ୟୁ ଘଟିଛି ।
ପୂର୍ବରୁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗଣେଶପୁର ଗାଁର ସୁଶିଳା ନାମ୍ନୀ ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ବିଲରେ କାମ କରୁଥିବା ଅନ୍ୟ ୫ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ବସ୍ତା ଥାନାର ଦରଡ଼ା ପଞ୍ଚାୟତ ଅନ୍ତର୍ଗତ ଏକଡାଳିଆ ଗାଁର ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିବାରୁ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକସ୍ଥିତ ବଡ଼କୁମାରୀ ପଞ୍ଚାୟତର ମାଣିକପୁର ଗ୍ରାମରେ ମଧ୍ୟ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ସୁନାହଜାର ଗ୍ରାମର ମହେନ୍ଦ୍ର ମହାନ୍ତଙ୍କ ପତ୍ନୀ ସାରଥୀ ମହାନ୍ତ ଓ ମାଣିତ୍ରୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତସ୍ଥିତ ଶ୍ରୀରାମପୁର ଗ୍ରାମର ଲକ୍ଷ୍ମଣ ମୁର୍ମୁ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ।
ପୂର୍ବରୁ ଜିଲ୍ଲାର ଖୁଣ୍ଟା ବ୍ଲକ ଅନ୍ତର୍ଗତ ଦୁକୁରା ଗ୍ରାମରେ ବଜ୍ରପାତ ଘଟି ଭାସ୍କର ବେହେରାଙ୍କ ପୁଅ ରାଜେନ୍ଦ୍ର ବେହେରାଙ୍କର ମୃତ୍ୟୁ ଘଟିବା ସହ ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶ୍ୱରପୁର ଗାଁର ଅଖିଳ ଦଳେଇ (୫୫ ବର୍ଷ) ନାମକ ଜଣେ ଚାଷୀଙ୍କର ଆଜି ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି ।
ତେବେ ଅଧିକ ବଜ୍ରପାତ ବିଲରେ କାମ କରୁଥିବା ଲୋକମାନଙ୍କ ଉପରେ ଭାରୀ ପଡିଛି ।

Comments are closed.