ଦିଲ୍ଲୀ-ଏନସିଆରରେ ନିଃଶ୍ୱାସ ନେବା କଷ୍ଟ, ଗମ୍ଭୀର ହେଲା ସ୍ୱାସ୍ଥ୍ୟଜନିତ ପରିସ୍ଥିତି

ନୂଆଦିଲ୍ଲୀ: ଦୀପାବଳି ପରେ ବିଷାକ୍ତ ଗ୍ୟାସ ବଳୟରେ ରହିଛି ରାଜଧାନୀ ନୂଆଦିଲ୍ଲୀ । ପ୍ରଦୂଷଣ ଯୋଗୁଁ ନିଃଶ୍ୱାସ ନେବାରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସର ଆସ୍ତରଣ ଯୋଗୁଁ ବେ ବିନା ମାସ୍କରେ ଲୋକେ ଘରୁ ବାହାରିକା କଷ୍ଟକର ହେଉଛି । ଏନେଇ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ନଭେମ୍ବର ୫ ଯାଏ ସମସ୍ତ ପ୍ରକାରର ନିର୍ମାଣ କାମ ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଦିଲ୍ଲୀ-ଏନସୀଆରରେ ବାୟୁ ପ୍ରଦୂଷଣ ଏବେ ଗମ୍ଭୀର ସ୍ତରରେ ଗତି କରୁଛି । ଶୀତଋତୁ ସରିବା ଯାଏଁ କୌଣସି ପ୍ରକାରର ବାଣ ଫୁଟି ପାରିବନି ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ହରିୟାଣା ଓ ପଞ୍ଜାବରେ ନଡାପୋଡାକୁ ମଧ୍ୟ ବନ୍ଦ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ସମେତ ପଡୋଶୀ ୫ ରାଜ୍ୟ ଉପରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଦାୟିତ୍ୱ ଛାଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାରି ମଧ୍ୟରେ ୫ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି । ପ୍ରଦୂଷଣ ସ୍ତର ବଢିଯିବାରୁ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେବେ ଜରୁରିକାଳୀନ ସେବାଗୁଡ଼ିକୁ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ଜେନେରେଟର ବନ୍ଦ ରଖିବାକୁ କୁହାଯାଇଛି।

Comments are closed.