ଥାନା ପାଇଁ ୧୭.୫ କୋଟି ଟଙ୍କାର କଣ୍ଟିଜେନ୍ସି

ଭୁବନେଶ୍ୱର : ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଥାନା ଗୁଡିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେଇପାରିବ ତାକୁ ଦୃଷ୍ଟିରେ ରଖି ୫୮୭ ଥାନା ପାଇଁ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ପାଣ୍ଠିକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଅନୁସାରେ, ଭୁବନେଶ୍ୱର-କଟକ କମିଶନରେଟରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଦିଆଯିବ । ସେହିପରି ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଦିଆଯିବ । ୩୫୧ଟି ଗ୍ରାମାଞ୍ଚଳ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି ।

ଅନ୍ୟପଟେ ୪ଟି ମହିଳା ଥାନା, ୫ଟି ଟ୍ରାଫିକ୍ ଥାନା, ୧୫ଟି ରେଳବାଇ, ୪ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସଟିଏଫ୍ ଥାନା, ଗୋଟିଏ ଏଚଆରପିସି ଥାନା, ଗୋଟିଏ କ୍ରାଇମବ୍ରାଞ୍ଚ ଥାନାକୁ ମାସିକ ୩୦ ହଜାର ଟଙ୍କା ଦିଆଯିବ । ସେହିଭଳି ରାଜ୍ୟର ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା ଗୁଡିକ ପାଇଁ ମାସିକ ୨୦ ହଜାର ଲେଖାଏ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’କୁ ସଫଳ କରି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.