ଭାରତୀୟ ଆଇଟି କମ୍ପାନୀକୁ ଜର୍ମାନୀକୁ ଡାକରା

ବେଙ୍ଗାଲୁରୁ : ଆମେରିକାର ସିଲିକନ ଭ୍ୟାଲିରେ ବ୍ୟାପକ ଛଟେଇ ଚାଲିଥିବା ବେଳେ କର୍ମଚାରୀ ସଙ୍କଟ ଦେଇ ଗତି କରୁଥିବା ଜର୍ମାନି ସେମାନଙ୍କୁ ହାତେଇବା ଲାଗି ଉଦ୍ୟମ ଆରମ୍ଭ କରିଛି। ବିଶେ‌ଷ କରି ଆଇଟି କାର୍ଯ୍ୟରେ ପାରଙ୍ଗମ ଭାରତୀୟ କର୍ମଚାରୀମାନଙ୍କୁ ଜର୍ମାନିର ଚାନ୍‌ସେଲର ଓଲାଫ୍ ସୋଲ୍‌ଜ କହିଛନ୍ତି। କୁଶଳୀ କର୍ମଚାରୀ ପାଇବା ଲାଗି ଜର୍ମାନି ସଂଘର୍ଷ କରୁଛି। ସେଠାରେ ଦକ୍ଷ ଶ୍ରମ ଶକ୍ତିର ଅଭାବ ରହିଛି। ବିଶେଷ କରି ସଫ୍ଟଓୟାର ଇଞ୍ଜିନିୟରିଂ ଦକ୍ଷତା ଥିବା କର୍ମଚାରୀଙ୍କୁ ସେଠାରେ ଖୋଜା ପଡ଼ୁଛି। ଏଭଳି ଏକ ସମୟରେ ଭାରତୀୟ କର୍ମଚାରୀଙ୍କୁ ନିଯୁକ୍ତିର ସୁଯୋଗ ଦେବା ଲାଗି ଜର୍ମାନି ଆଗେଇ ଆସିଛି। ସେମାନଙ୍କ ଲାଗି କାର୍ଯ୍ୟ ଭିସା ନିୟମ କୋହଳ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି।

ସଫ୍ଟଓୟାର ଇଞ୍ଜିନିୟରମାନଙ୍କ ଲାଗି ଏକ ପସନ୍ଦର ଦେଶରେ ପରିଣତ ହେବା ପାଇଁ ଜର୍ମାନି ଏହାର କେତେକ ନିୟମକୁ ବଦଳାଇଛି। ଇମିଗ୍ରେସନକୁ ନେଇ ଯେଉଁ କଠୋର ନିୟମ ରହିଛି ତାହାକୁ କୋହଳ କରିବା ଆମ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ବୋଲି ଶ୍ରୀ ସୋଲ୍‌ଜ କହିଛନ୍ତି। ନାଗରିକତା ନିୟମକୁ ମଧ୍ୟ ଜର୍ମାନି କୋହଳ କରୁଛି। ଯେଉଁମାନଙ୍କ ପାଖରେ ପ୍ରତିଭା ଓ ଦକ୍ଷତା ରହିଛି, କିନ୍ତୁ କାମ କରିବା ଲାଗି ଚାକିରି ନାହିଁ ସେମାନଙ୍କୁ ମଧ୍ୟ ଭିସା ଦେବାକୁ ଜର୍ମାନି ଚାହୁଛି। ଯେଉଁମାନେ ସ୍ଥାନୀୟ ଭାଷା ଜାଣିନାହାନ୍ତି ସେମାନେ ମଧ୍ୟ କାର୍ଯ୍ୟ କରିପାରି‌ବେ। ଇଂରାଜି ଭାଷା ଉପରେ ଦଖଲ ଥିବା କର୍ମଚାରୀ ଜର୍ମାନି ଯାଇପାରିବେ। ଜର୍ମାନିର ଅଧାରୁ ଅଧିକ କର୍ମଚାରୀ ଫାଙ୍କା ଥିବା ପଦଗୁଡ଼ିକୁ ପୂରଣ କରିବା ଲାଗି ସଂଘର୍ଷ କରୁଛନ୍ତି। ଏବେ ସେଠାରେ ୨୦ ଲକ୍ଷରୁ ଅଧିକ ପଦ ଖାଲିପଡ଼ିଛି। ଜର୍ମାନିର ଭାଷା ଶିଖିବା ଏକ କଷ୍ଟକର ବ୍ୟାପାର ହୋଇଥିବାରୁ ପ୍ରବାସୀ କର୍ମଚାରୀମା‌ନେ ଜର୍ମାନି ବଦଳରେ ବ୍ରିଟେନ୍‌, ସ୍ପେନ୍, ଫ୍ରାନ୍ସ ଓ ପର୍ତୁଗାଲରେ କାମ କରିବାକୁ ଅଧିକ ପସନ୍ଦ କରୁଛନ୍ତି।

Comments are closed.