ବୁଥବହୁଡ଼ା ମତ : ମେଘାଳୟ ନାଗାଲାଣ୍ଡରେ ବିଜେପି

ଗୌହାଟୀ : ତ୍ରିପୁରା ଓ ନାଗାଲାଣ୍ଡରେ ପୁଣି ବିଜେପି। କିନ୍ତୁ ବିଜେପି ହାତରୁ ଖସିଯାଇପାରେ ମେଘାଳୟ। ଏହି ତିନିଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏମିତି ଫଳାଫଳ ଆସିପାରେ। ଏହିସବୁ ରାଜ୍ୟରେ ହୋଇଥିବା ଏକଜିଟ୍ ପୋଲ ବା ବୁଥ ବାହୁଡ଼ା ମତରୁ ଏଭଳି ସୂଚନା ମିଳିଛି। ଉତ୍ତର ପୂର୍ବାଞ୍ଚଳରେ ବିଜେପି ଏହାର ପ୍ରଭାବ ବିସ୍ତାର କରୁଥିବା ବେଳେ କଂଗ୍ରେସ ପାଇଁ ସବୁଠାରୁ ବଡ଼ ଝଟକା ହୋଇପାରେ ବୋଲି କୁହାଯାଉଛି। ଏହାକୁ ମେଘାଳୟରେ ୬ ଏବଂ ନାଗାଲାଣ୍ଡରେ ଗୋଟିଏ ମାତ୍ର ଆସନ ମିଳିପାରେ।

ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ତ୍ରିପୁରାରେ ୬୦ ଆସନ ମଧ୍ୟରୁ ବିଜେପିକୁ ୩୨ଟି ଆସନ ମିଳିପାରେ। ରାଜ୍ୟ‌ରେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଶାସନ କରିଥିବା ବାମ ସାମ୍ମୁଖ୍ୟକୁ ମାତ୍ର ୧୫ଟି ଆସନ ମିଳିବ। କଂଗ୍ରେସକୁ ଗୋଟିଏ ବି ଆସନ ମିଳିବ ନାହିଁ। ତେବେ ନବଗଠିତ ପ୍ରଦ୍ୟୋତ କୁମାର ଦେବବର୍ମାଙ୍କ ତିପ୍ରା ମୋଥାକୁ ୧୨ଟି ଆସନ ମିଳିପାରେ। ବିଜେପି ଏହି ନୂଆ ଦଳ ସହିତ ମେଣ୍ଟ କରିବା ଲାଗି ପୂର୍ବରୁ ଯୋଜନା କରିଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏଥିରୁ ଓହରିଯାଇଥିଲା। ଗତ ନିର୍ବାଚନରେ ବିଜେପିକୁ ୩୪ଟି ଆସନ ମିଳିଥିଲା।
ସେହିଭଳି ନାଗାଲାଣ୍ଡରେ ବିଜେପି ଓ ଏନ୍‌ଡିପିପି ମେଣ୍ଟକୁ ୪୨ଟି ଆସନ ମିଳିପାରେ। ଏନ୍‌ପିଏଫକୁ ପ୍ରାୟ ୬ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ। ରାଜ୍ୟରେ ଏନଡିଏ ମେଣ୍ଟର ସରକାର ରହିଛି। ରାଜ୍ୟ ବିଧାନସଭାରେ ୬୦ଟି ଆସନ ରହିଛି।

ତେବେ ମେଘାଳୟରେ ଏନ୍‌ପିପି ସହିତ ମିଶି ସରକାର ଚଳାଇଥିବା ବିଜେପି ପାଇଁ ଖବର ଭଲ ନୁହେଁ। ନିର୍ବାଚନରେ ଏକାକୀ ଲଢ଼ିଥିବା ବିଜେପିକୁ ଏଥର ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। କୌଣସି ଦଳ ବା ମେଣ୍ଟକୁ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟକ ଆସନ ମିଳିନପାରେ। ତେବେ କନରାଡ ସାଙ୍ଗମାଙ୍କ ଏନ୍‌ପିପି ଦଳ ସର୍ବାଧିକ ଆସନ ପାଇବ। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଦଳକୁ ୨୧ଟିରୁ ୨୬ଟି ପର୍ଯ୍ୟନ୍ତ ଆସନ ମିଳିବ। ୨୦୧୮ରେ ବିଜେପି ଏଠାରେ ମାତ୍ର ୨ଟି ଆସନରେ ଜିତିଥିବା ବେଳେ ଚଳିତଥର ଆସନ ସଂଖ୍ୟା ୬ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ନୂଆକରି ନିର୍ବାଚନ ଲଢ଼ୁଥିବା ତୃଣମୂଳ କଂଗ୍ରେସ ୮ରୁ ୧୩ଟି ପର୍ଯ୍ୟନ୍ତ ଏବଂ କଂଗ୍ରେସ ୬ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୮ ନିର୍ବାଚନର ବିଜେପିକୁ ମାତ୍ର ୨ଟି ଆସନ ମିଳିଥିଲା। କିନ୍ତୁ ଏନପିପି ସହିତ ମିଶି ସରକାର ଗଠନ କରିଥିଲା। ତେବେ ଏଥର ନିର୍ବାଚନରେ ଦୁର୍ନୀତିକୁ ନେଇ ଏନ୍‌ପିପି ସହିତ ମତଭେଦ ପରେ ପାର୍ଟି ପକ୍ଷରୁ ସମସ୍ତ ୬୦ଟି ଆସନରେ ପ୍ରାର୍ଥୀ ଦିଆଯାଇଥିଲା। ଏନ୍‌ପିପି ସହିତ ପୁଣି ମେଣ୍ଟ କରିବାରେ ବିଜେପି ବିଫଳ ହେ‌ଲେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି।

Comments are closed.