ଚୀନ ଲାବରୁ ଲିକ ହୋଇଥିଲା କରୋନା ଭୂତାଣୁ

ୱାସିଂଟନ : ଉହାନସ୍ଥିତ ଚୀନ୍ ଲାବୋରେଟୋରିରୁ ନୋଭେଲ କରୋନା ଭୂତାଣୁ ଆକସ୍ମିକଭାବେ ଲିକ୍ ହୋଇଥିଲା ବୋଲି ଏକ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ଏନର୍ଜି ବିଭାଗ ଏକ ଗୁଇନ୍ଦା ତଥ୍ୟକୁ ଭିତ୍ତି କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି। ପୂର୍ବରୁ ବିଭାଗ ଏ ନେଇ କୌଣସି ନିଷ୍ପତ୍ତିରେ ପହଞ୍ଚିପାରି ନ ଥିଲା।

ନ୍ୟାସନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଅଭ୍ରିଲ ହେନେସଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୧ର ଏକ ଡକୁମେଣ୍ଟ ଅପ୍‌ଡେଟ୍ କରାଯିବା ପରେ ଉପରୋକ୍ତ ସିଦ୍ଧାନ୍ତ ନିଆଯାଇଛି। ପାଞ୍ଚ ପୃଷ୍ଠାରୁ କମ୍ ଉକ୍ତ ଅପ୍‌ଡେଟ୍ ପାଇଁ କଂଗ୍ରେସ ଅନୁରୋଧ କରି ନ ଥିଲା। କିନ୍ତୁ ଉଭୟ ସଦନର ସାଂସଦ, ବିଶେଷକରି ଗୃହ ଓ ସିନେଟ୍ ରିପବ୍ଲିକାନମାନେ ଭୂତାଣୁର ମୂଳ ଜାଣିବା ପାଇଁ ନିଜ ଆଡ଼ୁ ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ବାଇଡେନ ପ୍ରଶାସନ ଓ ଗୁଇନ୍ଦା ବିଭାଗକୁ ଅଧିକ ତଥ୍ୟ ପ୍ରକାଶ ପାଇଁ ଚାପ ପକାଇଥିଲେ। ବର୍ତ୍ତମାନ ଏନର୍ଜି ବିଭାଗ ଫେଡ଼େରାଲ ବ୍ୟୁରୋ ସହ ସ୍ବର ମିଳାଇ କହିଛି ଯେ ଚୀନ୍‌ର ଲାବରେଟୋରିରୁ ଭୂତାଣୁ ଲିକ୍ ହୋଇଥାଇପାରେ।

Comments are closed.