ପଞ୍ଜାବରେ ରାଜ୍ୟପାଳ ଶାସନ ଦାବି ବିଜେପି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ପଞ୍ଜାବର ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ରାଜ୍ୟରେ ଆଇନଶୃଙ୍ଖଲା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସମେତ ରାଜ୍ୟର ବିଜେପି ନେତା ରାଜ୍ୟପାଳ ଶାସନ ଲାଗୁ କରିବାକୁ ଦାବି କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଭଗବନ୍ତ ମାନ । ମୁଖ୍ୟମନ୍ତ୍ରୀ ମାନ ଓ ରାଜ୍ୟପାଳ ବନବାରୀଲାଲ ପୁରୋହିତଙ୍କ ମଧ୍ୟରେ ତାଳମେଳ ଠିକ୍‌ ନ ଥିବା ବେଳେ ରାଜ୍ୟରେ ବିଗୁଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ମାର୍ଚ୍ଚ ୩ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ନିମନ୍ତେ ପଞ୍ଜାବ କ୍ୟାବିନେଟରେ ସ୍ଥିର ହେବା ପରେ ଏ ନେଇ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ। ଏଥିସହ ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ। ମାତ୍ର ୨ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ରାଜ୍ୟପାଳ ଏକ ଚିଠି ପ୍ରେରିତ କରିଥିଲେ। ଏପରିକି ନିଜ ଚିଠିରେ ବିଧାନସଭା ଅଧିବେଶନ ଡାକିବାକୁ ତତ୍ପର ନୁହନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।

ବିଧାନସଭାର ବଜେଟ୍ ଅଧିବେଶନ ଡକାଇବାକୁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଉପରେ ରାଜ୍ୟପାଳ କୌଣସି ପ୍ରତିକ୍ରିୟା ଦେଉ ନ ଥିବାରୁ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବାକୁ ବାଧ୍ୟ ହୋଇଥିବା ଆପ୍‌ ସାଂସଦ ରାଘବ ଚଡ୍ଡା କହିଛନ୍ତି।

ଏହାପରେ ମାନ ଟ୍ୱିଟ କରିଛନ୍ତି, କ୍ୟାପଟେନ ଅମରିନ୍ଦର ସିଂଙ୍କ ସମେତ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ନେତା ଏବେ ରାଜ୍ୟପାଳ ଭବନ ଆଖପାଖରେ ବୁଲୁଥିବା ଦୃଶ୍ୟମାନ ହେଉଛନ୍ତି। ସେମାନେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଚାହୁଁଛନ୍ତି। ପଞ୍ଜାବବାସୀ ଜାଣିଛନ୍ତି ଯେ, ସେମାନେ ସବୁବେଳେ ପଞ୍ଜାବୀ ବିରୋଧୀ ।

Comments are closed.