ଯୋଗ ଗୁରୁ ରାମ ଦେବଙ୍କୁ ସୁପ୍ରିମକୋର୍ଟ ଝଟକା

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଡାକ୍ତରୀ ଔଷଧ ସଂପର୍କରେ ଲୋକଙ୍କୁ ଭ୍ରମିତ କରୁଥିବା ଭଳି ବିଜ୍ଞାପନ ପ୍ରକାଶ କରିବା ମାମଲାରେ ପତଞ୍ଜଳି ଆୟୁର୍ବେଦକୁ କୋର୍ଟ କଡ଼ା ଚେତାବନୀ ଦେଇଛନ୍ତି।

ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ ଦେଇ କହିଛନ୍ତି କି, ଯଦି ନିଜରସାମଗ୍ରୀର ବିକ୍ରି ଲାଗି ଲୋକଙ୍କୁ ଭ୍ରମିତ କରିବା ଭଳି ବିଜ୍ଞାପନର ପ୍ରସାରଣ ପତଞ୍ଜଳି ଜାରି ରଖେ ତେବେ ଆଗକୁ ମୋଟାଅଙ୍କର ଜରିମାନା ଲାଗୁ ହେବ। ତେଣୁ ଯଥାଶୀଘ୍ର ଏଭଳି ବିଜ୍ଞାପନ ପ୍ରସାୁରଣରୁ କମ୍ପାନି ଓହରି ଯିବା ଉଚିତ। ଏଥିସହିତ ପତଞ୍ଜଳି ଆୟୁର୍ବେଦକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ କି ଆଗକୁ ଗଣମାଧ୍ୟମରେ ଯେପରି ଏଭଳି ଭ୍ରମାତ୍ମକ ବିଜ୍ଞାପନ ପ୍ରକାଶ ନକରାଯାଏ।

ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ପତଞ୍ଜଳି ଆୟୁର୍ବେଦ ବିରୋଧରେ ଏକ ମାମଲା କରାଯାଇଥିଲା। ଏଥିରେ ଆବେଦନ କରାଯାଇଥିଲା କି ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ହେତୁ ଡାକ୍ତରୀ ଔଷଧକୁ ଉପେକ୍ଷା କରାଯାଉଛି। ଏହି ମାମଲାରେ ଶୁଣାଣି କରି ଶୀର୍ଷ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଫେବ୍ରୁଆରିରେ କରାଯିବ ବୋଲି କହିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ପତଞ୍ଜଳି ଆୟୁର୍ବେଦର କିଛି ସାମଗ୍ରୀର ଗୁଣମାନ ନେଇ ଉପଭୋକ୍ତାମାନେ ଅନେକ ସମୟରେ ଅଭିଯୋଗ କରି ଆସିଛନ୍ତି। ଅଭିଯୋଗ ଅନୁଯାୟୀ, ‘ପତଞ୍ଜଳି ଆୟୁର୍ବେଦର ସାମଗ୍ରୀକୁ ଯେଭଳି ଭାବେ ବିଜ୍ଞାପନରେ ପ୍ରାକୃତିକ ବୋଲି ଦର୍ଶାଯାଉଛି ସେଥିରେ ସେମିତି ବୈଶିଷ୍ଟ୍ୟ ରହୁ ନାହିଁ। ଏହା କେବଳ ଲୋକଙ୍କୁ ନିଜ ସାମଗ୍ରୀ ପ୍ରତି ଆକର୍ଷିତ କରିବାକୁ ପ୍ରଚାର କରାଯାଉଛି।’

Comments are closed.