ମମତା ସରକାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମଙ୍ଗଳବାର କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ରାଜଭବନ ଉପରେ ଗୁପ୍ତଚରୀ କରୁଛନ୍ତି। ଏସମ୍ପର୍କରେ ତାଙ୍କ ପାଖରେ ନିର୍ଭରଯୋଗ୍ୟ ସୂଚନା ରହିଛି। ସେ କହିଛନ୍ତି ସମ୍ପୃକ୍ତ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ପୂର୍ବ ରାଜ୍ୟପାଳଙ୍କ ପରି ସିଭି ଆନନ୍ଦ ମଧ୍ୟ ମମତା ବାନାର୍ଜୀ ସରକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

ନ୍ୟୁଜ ଏଜେନ୍ସି ସହିତ କଥାବାର୍ତ୍ତା କରି ସିଭି ଆନନ୍ଦ ବୋଷ କହିଛନ୍ତି, ଏହା ସତ୍ୟ। ମୁଁ ସମ୍ପୃକ୍ତ ବିଭାଗର ଉତ୍ତରକୁ ଅପେକ୍ଷା କରିଛି। ନଭେମ୍ବର ମାସର ଆରମ୍ଭରୁ, ବୋଷ ରବୀନ୍ଦ୍ରନାଥ ଟାଗୋରଙ୍କ ନାମ ଥିବା ନୂତନ ଫଳକ ସ୍ଥାପନ ଉପରେ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ ମାଗିଥିଲେ। ସେ ରାଜଭବନର ଉତ୍ତର ଦ୍ୱାରର ନାମକୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଫାଟକରେ ପରିବର୍ତ୍ତନ କରିଥିଲେ। ଯେତେବେଳେ କମ୍ପ୍ଲେକ୍ସ ଭିତରେ ଟାଗୋରଙ୍କ ନାମ ବିନା ଅନ୍ୟ କିଛି ଫଳକ ଲଗାଯାଇଥିଲା ସେତେବେଳେ ବିବାଦ ଆରମ୍ଭ ହୋଇଥିଲା।

ନିକଟରେ ରାଜ୍ୟରେ ଜଣେ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହାର ଉତ୍ତରରେ ରାଜ୍ୟପାଳ କିଛି ଦିନ ପୂର୍ବରୁ କହିଥିଲେ ପଶ୍ଚିମବଙ୍ଗ ରାଜନୀତିରେ ହିଂସା ସଂସ୍କୃତି ରହିଛି। ସେ କହିଥିଲେ, ଆଇନ ନିଜର କାମ କରିବ। ଆମେ ନିଶ୍ଚିତ ଭାବେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ରାଜଭବନ ମଧ୍ୟ ଏହାର କର୍ତ୍ତବ୍ୟ କରିବେ। ହିଂସା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆଇନଗତ କାର୍ଯ୍ୟ ସହିତ ସାମାଜିକ ପଦକ୍ଷେପ ମଧ୍ୟ ହେବା ଜରୁରୀ। ହିଂସା ରାଜ୍ୟର ରାଜନୀତିରେ ପ୍ରଭାବ ପକାଉଛି। ହିଂସାର ଏହି ସଂସ୍କୃତି ବନ୍ଦ ହେବା ଆବଶ୍ୟକ।

Comments are closed.