ବିଜେପିରେ ଯୋଗ ଦେବେ ମୁକୁଲ ରୟ ?

କୋଲ୍‌କାତା: ମୁଁ ଏବେ ମଧ୍ୟ ‘ବିଜେପି’ ବିଧାୟକ ଏବଂ ‘ବିଜେପି’କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହେଁ ବୋଲି ମଙ୍ଗଳବାର ରାତିରେ ‘ତୃଣମୂଳ କଂଗ୍ରେସ’ ନେତା ମୁକୁଲ୍‌ ରୟ କହିଛନ୍ତି।

ବ୍ୟକ୍ତିଗତ କାର୍ଯ୍ୟରେ ରୟ ସୋମବାର ରାତିରେ ନୂଆଦିଲ୍ଲୀ ଯାଇଥିବା ବେଳେ। ସେ ନିଖୋଜ ହୋଇଯାଇଛନ୍ତି ବୋଲି ଗତକାଲି ତାଙ୍କ ପରିବାର ଲୋକେ ‌କହିଥିଲେ। କିନ୍ତୁ ମଙ୍ଗଳବାର ସନ୍ଧ୍ୟାବେଳେ ରୟ ଏକ ବଙ୍ଗଳା ନିଉଜ୍‌ ଚାନେଲ୍‌କୁ କହିଛନ୍ତି, ମୁଁ ଜଣେ ‘ବିଜେପି’ ବିଧାୟକ। ମୁଁ ‘ବିଜେପି’କୁ ସମର୍ଥନ କରିବି। ଦଳ ମୋ ରହଣି ପାଇଁ ବ୍ୟବସ୍ଥା କରିଛି। ମୁଁ ଅମିତ ଶାହଙ୍କୁ ଭେଟିବାକୁ ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହେଁ।

ସୂଚନାଯୋଗ୍ୟ, ‘ତୃଣମୂଳ କଂଗ୍ରେସ’ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ରୟ ୨୦୧୭ରେ ‘ବିଜେପି’ରେ ସାମିଲ ହୋଇଥିଲେ। ‘ବିଜେପି’ ପାର୍ଥୀଭାବେ ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ, ବିଧାନସଭାରୁ ଇସ୍ତଫା ନ‌ ଦେଇ ସେ ପରେ ପୁଣି ‘ତୃଣମୂଳ କଂଗ୍ରେସ’କୁ ଫେରି ଆସିଥିଲେ।

ରୟ କହିଛନ୍ତି, ବହୁଦିନ ହେବ ମୋର ଦେହ ଭଲ ନ ଥିଲା। ତେଣୁ, ରାଜନୀତିରୁ ଦୂରେଇ ରହୁଥିଲି। କିନ୍ତୁ, ଏବେ ମୁଁ ଭଲ ଅଛି ଏବଂ ପୁଣି ସକ୍ରିୟ ରାଜନୀତି କରିବି।

ସେ ଆଉ ‘ତୃଣମୂଳ କଂଗ୍ରେସ’ରେ ସାମିଲ ହେବେନାହିଁ ବୋଲି ସୁନିଶ୍ଚିତ କହିଛନ୍ତି। ପୁଅ ଶୁଭ୍ରାଂଶୁକୁ ମଧ୍ୟ ପରାମର୍ଶ ଦେଇ ରୟ କହିଛନ୍ତି, ‘ବିଜେପି’ରେ ଯୋଗ ଦେବା ତା’ ପାଇଁ ଭଲ ହେବ। କିନ୍ତୁ, ଶୁଭ୍ରାଂଶୁ କହିଛନ୍ତି ଯେ, ‘ଡିମେନ୍‌ସିଆ ଓ ପାର୍କିନ୍‌ସନ୍‌ସ୍‌’ ରୋଗରେ ପୀଡ଼ିତ ତାଙ୍କ ବାପାଙ୍କ ଦେହ ଖୁବ୍‌ ଅସୁସ୍ଥ ଅଛି। ଗତ ମାସରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି। ସେ ପରିବାର ଲୋକ ଏବଂ ଘନିଷ୍ଠ ସହଯୋଗୀମାନଙ୍କୁ ବି ଚିହ୍ନି ପାରୁନାହାନ୍ତି।

Comments are closed.