କାହିଁକି ଋଷୀୟ ମହିଳାଙ୍କୁ ଏମିତି କହିଲେ ପୁଟିନ

ଆମକୁ ଆମ ପୂର୍ବ ପୁରୁଷଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ନେବାକୁ ପଡ଼ିବ। ପୂର୍ବରୁ ଆମ ଜେଜେମା’ ତଥା ସେମାନଙ୍କ ପୂର୍ବଜ ୭, ୮ ଛୁଆ ଜନ୍ମ କରୁଥିଲେ। ଆମକୁ ବି ଏବେ ସମାନ ନୀତି ଆପଣାଇବାକୁ ପଡ଼ିବ। ଶହ ଶହ ବର୍ଷର ପରମ୍ପରା, ମୂଲ୍ୟବୋଧକୁ ବଜାୟ ରଖିବାକୁ ହେଲେ ଏବେକାର ମହିଳାମାନଙ୍କୁ ମଧ୍ୟ ୮ କିମ୍ବା ତଦୁର୍ଦ୍ଧ୍ୱ ସନ୍ତାନ ଜନ୍ମ କରିବାକୁ ପଡ଼ିବ।’ ଗତ ମଙ୍ଗଳବାର ମସ୍କୋରେ ଏକ ସଭାକୁ ସମ୍ବୋଧନ କରି ଏପରି ଭାଷଣ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଏପରି ଭାଷଣ ସମସ୍ତଙ୍କୁ ଚକିତ କରି ଦେଇଛି।

ଗତ ମଙ୍ଗଳବାର ମସ୍କୋରେ ୱାର୍ଲ୍ଡ ରୁଷିଆନ ପିପୁଲସ୍‌ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁଟିନ ଯୋଗ ଦେଇଥିଲ।

ରୁଷରେ ଜନ୍ମ ହାର ଏବେ ତଳମୁହାଁ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୁଟିନ। ଏଥିସହ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ଦେଶର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇ ସାରିଥିବା କୁହାଯାଉଛି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଦେଶର ଜନସଂଖ୍ୟା ବୃଦ୍ଧି ଏକମାତ୍ର ବିକଳ୍ପ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଥିନିମନ୍ତେ ଦେଶର ମହିଳାଙ୍କୁ ଉତ୍ସାହିତ କରିଛନ୍ତି ପୁଟିନ।

ନିଜ ଅଭିଭାଷଣରେ ସେ କହିଛନ୍ତି, ଆମ ଦେଶର ବହୁତ ପରିବାରରେ ଏବେ ବି ୪, ୫ କିମ୍ବା ତା’ଠୁ ଅଧିକ ସନ୍ତାନ ରହୁଛନ୍ତି। ଏହା ପୂର୍ବରୁ ଆମ ଜେଜେମା’ ଅମଳରେ ପ୍ରତି ପରିବାରରେ ୭, ୮ କିମ୍ବା ତା’ଠୁ ଅଧିକ ଛୁଆ ଜନ୍ମ ହେଉଥିଲେ।

Comments are closed.