କାହିଁକି ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ଇସ୍‌ଲାମାବାଦ : ପାକିସ୍ତାନ ଏବେ ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ସାମ୍ନା କରୁଛି। ପରିସ୍ଥିତି ଏଭଳି ହୋଇଛି ଯେ ସରକାର ସାଧାରଣ ଖର୍ଚ୍ଚ ତୁଲାଇବା ପାଇଁ ଅନ୍ୟ ଦେଶ ପାଖରେ ନେହୁରା ହେଉଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ରହିଥିବା ବେଳେ ଅଟା ଦର ସବୁ ରେକର୍ଡ ଭାଙ୍ଗିଛି। ୨୦ କିଲୋ ଅଟା ପାଇଁ ପ୍ରାୟ ୩ ହଜାର ଟଙ୍କା ଦେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଆମେ ଏକ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ହୋଇଥିଲେ ‌ମଧ୍ୟ ଜଟିଳ ଆର୍ଥିକ ସଙ୍କଟ ପାଇଁ ଭିକ୍ଷା ମାଗିବାକୁ ପଡ଼ୁଛି ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ। ବିଦେଶୀ ଋଣ ନେଇ ଆର୍ଥିକ ସମସ୍ୟାର ସମାଧାନ କରିବା ମଧ୍ୟ ଚିନ୍ତା ବଢ଼ାଇଛି। ଏହି ଋଣ ଅର୍ଥ ପରିଶୋଧ କରିବା ବାଧ୍ୟତାମୂଳକ ଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି।

ସରିଫ୍‌ କହିଛନ୍ତି ଯେ ୟୁଏଇ ଏବେ ଅଧିକ ୧ ବିଲିୟନ ଡଲାର ଋଣ ଦେବାକୁ ଘୋଷଣା କରିଛି ଏବଂ ଏହା ବହୁତ ବଡ଼ ଆର୍ଥିକ ସହାୟତା ହେବ। ଇତିମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ସହିତ ଋଣ ପରିମାଣ ଚୂଡ଼ାନ୍ତ କରିବା ପାଇଁ ପାକିସ୍ତାନ ଜୋରଦାର ପ୍ରୟାସ ଚଳାଇଛି। ତେବେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ଖାଲି ହୋଇଯାଉଥିବାରୁ ଆଇଏମ୍‌ଏଫ୍‌ ଏଥିପାଇଁ ଚିନ୍ତା ବ୍ୟକ୍ତ କରିଛି।

Comments are closed.