ମେଣ୍ଟୁ ନାହିଁ କଂଗ୍ରେସ କଳି କିଏ ହେବ ମୁଖିଆ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ଯୋଗୁ କଂଗ୍ରେସ ହାଇକମାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଖପ୍ପା ହୋଇଛନ୍ତି। ଏଥିପାଇଁ କଂଗ୍ରେସ ସଭାପତି ରେସ୍‌ରେ ସବୁଠାରୁ ଆଗରେ ଥିବା ଗେହଲଟ ଏଥିରୁ ବାଦ ପଡ଼ିଥିବା ଚର୍ଚ୍ଚା ହେଉଛି। କିନ୍ତୁ ଗେହଲଟଙ୍କ ନିକଟତମ ସୂତ୍ରରେ ଏହି ଖବରକୁ ଖଣ୍ଡନ କରାଯାଇଛି।

ଗେହଲଟ ନିଜର ଭୁଲ ସ୍ୱୀକାର କରିବା ସହ ହାଇକମାଣ୍ଡଙ୍କ ଉପରେ ସବୁ କିଛି ଛାଡ଼ି ଦେଇଛନ୍ତି। ହାଇକମାଣ୍ଡ ଯାହାଙ୍କୁ ମୁଖ୍ୟମନ୍ତ୍ରୀ କରିବେ, ତାଙ୍କୁ ଗେହଲଟ ସମର୍ଥନ କରିବାକୁ ରାଜି ହୋଇଛନ୍ତି। ଏଥିସହ ସେ ଖୁବଶୀଘ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି। ଏହି ସମୟରେ ସେ ପୂରା ଘଟଣା ବିଷୟରେ ସୋନିଆଙ୍କ ସହ କଥା ହେବେ। ସେହିପରି ତାଙ୍କ ସମର୍ଥନରେ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ୩ରୁ ୪ ଜଣ ବିଧାୟକଙ୍କୁ ମଧ୍ୟ ହାଇକମାଣ୍ଡ ପକ୍ଷରୁ ନୋଟିସ ଯିବାର ଆଶଙ୍କା ରହିଛି।

ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜସ୍ଥାନରେ ଗେହଲଟ ଗୋଷ୍ଠୀଙ୍କ ବିଦ୍ରୋହ ଦଳକୁ ଅଡ଼ୁଆରେ ପକାଇଛି। ଏଥିପାଇଁ ହାଇକମାଣ୍ଡ କ୍ଷୁବ୍ଧ ହୋଇଛନ୍ତି। ଗେହଲଟ ମୁଖ୍ୟମନ୍ତ୍ରୀ ସହ କଂଗ୍ରେସ ସଭାପତି ପଦ ସମ୍ଭାଳିବାକୁ ଚାହୁଁଥିଲେ। ଯଦି ବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ, ତା’ହେଲେ ତାଙ୍କ ପସନ୍ଦର ନେତା ରାଜ୍ୟ ମୁଖିଆ ହେବେ ବୋଲି ସେ ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବରେ ହାଇକମାଣ୍ଡ ରାଜି ନ ହେବାରୁ ଗେହଲଟ ଗୋଷ୍ଠୀର ପ୍ରାୟ ୯୦ ବିଧାୟକ ଇସ୍ତଫାର ଧମକ ଦେଇଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା। ଏପରି କି କଂଗ୍ରେସ ହାଇକମାଣ୍ଡ ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେଙ୍କୁ ସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଜୟପୁର ପଠାଇଥିଲେ। କିନ୍ତୁ ସେମାନଙ୍କ ସହ କୌଣସି ବିଧାୟକ ଆଲୋଚନା କରି ନଥିଲେ। ଏହା ସମସ୍ୟାକୁ ଆହୁରି ଜଟିଳ କରିଥିଲା।

Comments are closed.