ଆସ୍ଥା ପରୀକ୍ଷା ଦେବେ ଭଗୱନ୍ତ ମାନ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି।ଏହି ଅଧିବେଶନ ଆରମ୍ଭରୁ ଆପ୍‌ ପକ୍ଷରୁ ଆସ୍ଥା ଭୋଟ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ବିରୋଧ କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ପ୍ରସ୍ତାବ ଆଣିବା ରାଜ୍ୟପାଳଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରିବା ସହ ସମାନ। ମୁଁ ବିଧାନସଭାର ପବିତ୍ର ଗୃହରେ ଏହାକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

କଂଗ୍ରେସ ଓ ଅକାଳୀ ଦଳର ସମସ୍ତ ବିଧାୟକ ଆପ୍‌ ପକ୍ଷରୁ ଆସିଥିବା ଆସ୍ଥା ଭୋଟ ପ୍ରସ୍ତାବକୁ ବିରୋଧ କରି ନାରାବାଜୀ କରିଥିଲେ। ଏହାପୂର୍ବରୁ ରାଜ୍ୟପାଳ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ଆପ୍‌ ଦେବାକୁ ଚାହୁଁଥିବା ଶକ୍ତିପରୀକ୍ଷାକୁ ବିରୋଧ କରିଥିଲେ। ଏପରି କି ଗୁରୁବାର ଆପ୍‌ ଡାକିଥିବା ସ୍ୱତନ୍ତ୍ର ଅଧିବେଶ ପାଇଁ ରାଜ୍ୟପାଳ ଅନୁମତି ଦେଇ ନଥିଲେ।

ଅନ୍ୟପକ୍ଷରେ କଂଗ୍ରେସକୁ ରାଜସ୍ଥାନ ସୃଷ୍ଟି ହୋଇଥିବା ଦଳୀୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ମାନ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ବର୍ତ୍ତମାନ ଆମକୁ ଗୃହର ଆଇନ ବିଷୟରେ ଶିକ୍ଷାଦେବ? ପ୍ରଥମେ ସେମାନେ ନିଜ ଘର ସଜାଡ଼ିବା ଦରକାର।”

Comments are closed.