ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବ କିଏ ?

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାର ନିଷ୍ପତ୍ତି ନେବାକୁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଶନିବାର ବିଳମ୍ବିତ ରାତିରେ ଦଳୀୟ ନେତୃବୃନ୍ଦ ବିଧାୟକ ଦଳ ବୈଠକ ରବିବାର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ତେବେ ସେ ନିର୍ବାଚନରେ ଜିତିବା ପରେ ପଦ ଛାଡ଼ିବେ ନା ନାମାଙ୍କନ ଦାଖଲ କରିବା ମାତ୍ରେ ଇସ୍ତଫା ଦେବେ,ସେକଥା ସ୍ପଷ୍ଟ ହୋଇନି। ଏହାର ନିଷ୍ପତ୍ତି ନେବାକୁ ଆଜି ବିଧାୟକ ଦଳ ବୈଠକ ବସୁଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ଗେହଲଟଙ୍କ ଉତ୍ତରାଧିକାରୀ କିଏ ହେବେ, ତା’ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗେହଲଟଙ୍କ ଉତ୍ତରାଧିକାରୀ ଭାବେ ସଚିନ ପାଇଲଟଙ୍କ ନାଁ ସବୁଠାରୁ ଆଗରେ ରହିଛି। କିନ୍ତୁ ଗେହଲଟ ଏହାକୁ ବିରୋଧ କରି ଆସୁଛନ୍ତି। ତଥାପି ଗାନ୍ଧି ପରିବାରର ସମର୍ଥନ ସଚିନଙ୍କ ସପକ୍ଷରେ ଥିବାରୁ ସେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ନିଜର ଜଣେ ବିଶ୍ୱସ୍ତ ନେତାଙ୍କୁ ଉତ୍ତରାଧିକାରୀ ଭାବେ ବାଛିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦଳୀୟ ବିଧାୟକ ଓ ଗାନ୍ଧି ପରିବାର ସହ ମଧ୍ୟ ଯୋଗାଯୋଗ କରୁଛନ୍ତି। ନିକଟରେ ସେ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗାନ୍ଧି ପରିବାର ନିକଟକୁ ଚିଠି ଲେଖିଥିଲେ। ଏହାକୁ ନେଇ ସଚିନ ପାଇଲଟ ଓ ତାଙ୍କ ସମର୍ଥନରେ ଥିବା ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

Comments are closed.