ଆପଣଙ୍କ ପରିଶ୍ରମର ଶ୍ରେୟ ଆଉ କିଏ ନେଉଛନ୍ତି କି ?
ଭୁବନେଶ୍ୱର: କର୍ମ ବହୁଳ ଜୀବନଶୈଳୀ । ଏତେ କାର୍ଯ୍ୟବ୍ୟସ୍ତତା ଭିତରେ ଆମେ ନିଜକୁ ଓ ନିଜ ପରିବାରକୁ ଭୁଲି ଯାଆନ୍ତି । କିନ୍ତୁ ଏତେ ପରିଶ୍ରମର ଶ୍ରେୟ ଆଉ କେହି ନେଉନାହାନ୍ତି ତ? ଅଫିସରେ ସହକର୍ମୀମାନଙ୍କ ଚାଲାକି ପାଇଁ ଅନେକ ସମୟରେ ବସଙ୍କଠାରୁ ଗାଳି ଶୁଣିବାକୁ ବି ପଡେ଼ । କର୍ମକ୍ଷେତ୍ରରେ ଏଭଳି ପରିସ୍ଥିତି ରହୁଥିଲେ ଚତୁରତାର ସହ ସାମ୍ନା କରିବା ବୁଦ୍ଧିମତ୍ତାର କାମ ।
ପରିଶ୍ରମ କରିବେ ଆପଣ, କିନ୍ତୁ ଶ୍ରେୟ ମିଳିବ ଅନ୍ୟ ଜଣଙ୍କୁ । ସହକର୍ମୀଙ୍କ ଚାଲାକି ପାଇଁ ଅନେକ ଥର ଅଫିସରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥାଏ । କର୍ମକ୍ଷେତ୍ରରେ ଏଭଳି ଅବସ୍ଥାରେ କ’ଣ କଲେ ନିଜ କାମର କ୍ରେଡ଼ିଟ ନିଜକୁ ମିଳିବ ସେସବୁ ଜାଣିବା ନିହାତି ଦରକାର ।
ବସଙ୍କୁ ଜଣାନ୍ତୁ: ପ୍ରଥମ କଥା ହେଉଛି ଆପଣ କ’ଣ ସବୁ କାମ କରୁଛନ୍ତି ସେକଥା ଅଫିସରେ ମୁଖ୍ୟତଃ ବସଙ୍କୁ ଜଣାଇବା ଦରକାର । କର୍ପୋରେଟ୍ ଜଗତରେ ଚୁପଚାପ୍ ବସି କେବଳ କାମ କରିବା ଯଥେଷ୍ଟ ନୁହେଁ । ନିଜ ପ୍ରୋଜେକ୍ଟ କିମ୍ବା ପ୍ଲାନ୍ ବିଷୟରେ ଅଫିସ୍ ମିଟିଂରେ ଜଣାନ୍ତୁ । ଅଫିସରେ ଯଦି ବସ୍ ଆପଣଙ୍କ କାମ ବିଷୟରେ ଅବଗତ ରହିବେ ତେବେ ଅନ୍ୟ କେହି ସହକର୍ମୀ ସେହି କାମ ପାଇଁ କ୍ରେଡ଼ିଟ ନେବାକୁ ଚେଷ୍ଟା କରିବେ ନାହିଁ ।
ରାଗନ୍ତୁ ନାହିଁ: ବହୁ ପରିଶ୍ରମ କରିବା ପରେ ଯେତେବେଳେ ଅଫିସରେ ଅନ୍ୟ ଜଣେ ସହକର୍ମୀ ସେହି କାମର କ୍ରେଡ଼ିଟ ନିଅନ୍ତି ସେତେବେଳେ ମନ ଖରାପ ଲାଗେ । କିନ୍ତୁ ଏ ସମୟରେ ସହକର୍ମୀଙ୍କ ଉପରେ ଆଦୌ ରାଗନ୍ତୁ ନାହିଁ । ସମସ୍ତଙ୍କ ଆଗରେ ରାଗିବା ଦ୍ୱାରା ନିଜର ଭାବମୂର୍ତ୍ତି ନଷ୍ଟହେବ । ତେଣୁ ଏଭଳି ସମୟରେ ଶାନ୍ତ ମନରେ ହିଁ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ ।
ସିନିୟରଙ୍କ ସହାୟତା ନିଅନ୍ତୁ: ନିଜ କାମର ଶ୍ରେୟ ଯଦି ଅଫିସରେ ଅନ୍ୟ କେହି ଜଣେ ନେବାପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି ତେବେ ଏଭଳି କ୍ଷେତ୍ରରେ ଆପଣ ସିନିୟରଙ୍କ ସାହାଯ୍ୟ ନିଅନ୍ତୁ । ଅଫିସରେ ଯେଉଁ ସିନିୟରଙ୍କ ଉପରେ ଆପଣଙ୍କର ବିଶ୍ୱାସ ଓ ଭରସା ରହିଛି ତାଙ୍କ ସହାୟତା ନେଇ ଆପଣ କରୁଥିବା କାମ ସମ୍ପର୍କରେ ଜଣାନ୍ତୁ । ପ୍ରତିଦିନ ଆପଣ କରୁଥିବା କାମ ସମ୍ପର୍କରେ ତାଙ୍କୁ ଅବଗତ କରାନ୍ତୁ । ତେଣୁ ଆବଶ୍ୟକ ସମୟରେ ସେହି ସିନିୟର ସହକର୍ମୀ ଆପଣଙ୍କ ପକ୍ଷ ନେଇପାରନ୍ତି ।
କାମକୁ ଗୋପନୀୟ ରଖନ୍ତୁ: ଅଫିସରେ କୌଣସି ନୂଆ କାମ କରୁଥିଲେ ସେନେଇ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ କିମ୍ବା କାହାକୁ ଦେଖାନ୍ତୁ ନାହିଁ । ଏମିତିକି ସମସ୍ତଙ୍କୁ ଏକ ପ୍ରକାର ପ୍ରୋଜେକ୍ଟ କାମ ଦିଆଯାଇଥିଲେ ବି ଆପଣ କରୁଥିବା କାମକୁ ଗୋପନୀୟ ରଖନ୍ତୁ । କାମ ଶେଷ ହେବା ପରେ ହିଁ ନିଜେ ହସ୍ତାନ୍ତର କରନ୍ତୁ ।
ସତର୍କ ରୁହନ୍ତୁ: ଅଫିସରେ ଯଦି କେହି ସହକର୍ମୀ ଆପଣଙ୍କ କାମର ଶ୍ରେୟ ନେଉଥାନ୍ତି ତେବେ ତାଙ୍କ ପ୍ରତି ସତର୍କ ରୁହନ୍ତୁ । ଆପଣଙ୍କର କୌଣସି କାମ ବିଷୟରେ ତାଙ୍କୁ କିଛି ବି କୁହନ୍ତୁ ନାହିଁ । ନିଜ ପ୍ରୋଜେକ୍ଟ ବିଷୟରେ କୌଣସି ପ୍ରକାର ସୂଚନା ଦିଅନ୍ତୁ ନାହିଁ । ଏମିତିକି ସେନେଇ ତାଙ୍କ ସହ କୌଣସି ପରାମର୍ଶ କିମ୍ବା କଥାବାର୍ତ୍ତା କରନ୍ତୁ ନାହିଁ ।
Comments are closed.