ନିରାଶ ହେଲେ ଓକିଲ, ସୁପ୍ରିମକୋର୍ଟ ଦେଲେ ଝଟକା

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟକା ଲାଗିଛି। ନିଜର ଦାବି ପୂରଣ ପାଇଁ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ବ୍ୟାପକ ଭଙ୍ଗାରୁଜା କରିବା ଓକିଲମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମ କୋର୍ଟ ହାଇକୋର୍ଟ ବେଞ୍ଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି। ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲମାନେ କରିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇ ପାରିବ ନାହିଁ ବୋଲି କହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଆକ୍ରୋଶରୁ ଓଡ଼ିଶା ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ମଧ୍ୟ ବର୍ତ୍ତି ପାରି ନାହାନ୍ତି। ଓକିଲ ଆନ୍ଦୋଳନକୁ ପ୍ରଶମିତ କରିବାରେ ଓଡ଼ିଶା ପୁଲିସ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଉଭୟଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଯଦି ଓଡ଼ିଶା ପୁଲିସ୍‌ ପାରୁନି, ତା’ହେଲେ ଆମେ ପାରାମିଲିଟାରୀ ଫୋର୍ସ ଦେବୁ ବୋଲି କୋର୍ଟ କହିଛନ୍ତି। ୧୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ସତ୍ତ୍ୱେ କେମିତି ଭଙ୍ଗାରୁଜା ହେଲା? ଏହା ଓଡ଼ିଶା ପୁଲିସ୍‌ର ଚରମ ଅବହେଳା କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ।

Comments are closed.