ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପୂର୍ବତନ ଗଭର୍ଣ୍ଣର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତି ଓ ଦେଶରେ ଏବେ ଘୃଣାର ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚିଲାଣି।

ରାହୁଲ ଗାନ୍ଧି ଚାଲିଚାଲି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ଏହିକ୍ରମରେ ଆଜି ଏହି ଯାତ୍ରାରେ ସାମିଲ ହୋଇଛନ୍ତି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ସେ ଆଜି କିଛି ସମୟ ପାଇଁ ରାଜସ୍ଥାନରେ କଂଗ୍ରେସ କରୁଥିବା ପଦଯାତ୍ରାରେ ସାମିଲ ହୋଇଥିଲେ।

ଏଥିସହ ରାହୁଲ ଗାନ୍ଧିଙ୍କ ସହ ପାଦରେ ପାଦ ମିଶାଇ କିଛି ବାଟ ଚାଲିଥିଲେ ଓ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ।
ଆଜି ସକାଳୁ କଂଗ୍ରେସର ପଦଯାତ୍ରା ରାଜସ୍ଥାନର ସୱାଇ ମାଧୋପୁରର ଭାଡୋଟିରୁ ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲଙ୍କ ସହ ରଘୁରାମଙ୍କୁ ଦେଖିବାକୁ ମିଳିଥିଲା। ରାହୁଲଙ୍କ ସହ ସେ ଚାଲିବା ବେଳର ଫଟୋକୁ କଂଗ୍ରେସ ପକ୍ଷରୁ ଟ୍ୱିଟ ମଧ୍ୟ କରାଯାଇଛି।

ଦଳ ଲେଖିଛି ଯେ “ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ସହ ଆଜି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପାଦରେ ପାଦ ମିଶାଇ ଚାଲିଛନ୍ତି। ଘୃଣା ବିରୋଧରେ ଦେଶକୁ ଯୋଡ଼ିବା ପାଇଁ ଛିଡ଼ା ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ଦର୍ଶାଉଛି ଯେ ଆମେ ସଫଳତା ପାଇବୁ।” ଏହାପୂର୍ବରୁ ମଧ୍ୟ ଅନେକ ସେଲେବ୍ରିଟି, ବିଶିଷ୍ଟ ବ୍ୟକ୍ତି ଓ ସାଧାଣ ଲୋକ ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାର ଫଟୋ ସାମ୍ନାକୁ ଆସିଥିଲା।

Comments are closed.