ଜୁଲାଇ ୧୫ ରୁ ୧୯ ପର୍ଯ୍ୟନ୍ତ ଭିମସାର୍ ବନ୍ଦ

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମସାର)କୁ ଜୁଲାଇ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପାଞ୍ଚ ଦିନ ବନ୍ଦ ସମୟରେ ଭିମସାର ମେଡିକାଲରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ । ଭିମସାରରେ ପାଞ୍ଚଦିନ ଧରି ହସ୍ପିଟାଲର ସମସ୍ତ ରୁଟିନ୍‌ ଓପିଡି ଗୁଡିକକୁ ବନ୍ଦ ରଖାଯିବା ସହ ସମସ୍ତ ରୁଟିନ୍‌ ସର୍ଜରୀ ମଧ୍ୟ ବନ୍ଦ ରହିବ। ଏହା ସହ ୧୫ରୁ ୧୯ ବନ୍ଦ ସମୟରେ କାଜୁଆଲିଟି ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର ସେବା ଯୋଗାଇବାକୁ ଅନୁମତି ଦିଆଯାଇଛି । ଏଥିସହ କେବଳ ରେଫରାଲ୍‌ ଏବଂ ଜରୁରୀକାଳୀନ ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ । ଭିମ୍‌ସାରକୁ ଏହି ସମୟ ମଧ୍ୟରେ ସେନେଟାଇଜିଙ୍ଗ କରିବା ବ୍ୟବସ୍ଥା ଅଗ୍ନିଶମ ବିଭାଗ ଦ୍ୱାରା କରାଯିବ। ତେବେ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହିତ କେବଳ ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ। ମେଡ଼ିକାଲ ପରିସରରେ ସମସ୍ତ କର୍ମଚାରୀ, ରୋଗୀ ଏବଂ ରୋଗୀ ସହିତ ଥିବା ସହାୟକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ଜଣାପଡିଛି । ଏନେଇ ଜିଲ୍ଲା ପ୍ରସାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦେଶାବଳୀ ଯାରି କରାଯାଇଛି ।

Comments are closed.