ଦୁଇ ରାଜ୍ୟରେ ଆରମ୍ଭ ହେଲା ମତଦାନ ପ୍ରକ୍ରିୟା
ଆଜି ଛତିଶଗଡ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ । ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର ସୁକମାରେ IED ବ୍ଲାଷ୍ଟ ହୋଇ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି।
ଛତିଶଗଡ଼ର ୨୦ଟି ବିଧାନସଭା ଆସନ ମଧ୍ୟରୁ ୧୦ଟିରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଅବଶିଷ୍ଟ ୧୦ଟି ସିଟ୍ରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଛତିଶଗଡ଼ର ଯେଉଁ୨୦ଟି ସିଟ୍ରେ ଆଜି ମତଦାନ ହେବ ସେଥିମଧ୍ୟରୁ ୧୯ଟିରେ ଏବେ କଂଗ୍ରେସ କ୍ଷମତାରେ ରହିଛି।
ଛତିଶଗଡ଼ରେ ପ୍ରଥମ ଚରଣ ନିର୍ବାଚନରେ ୨୨୩ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେଥିମଦ୍ୟରୁ ୨୫ ଜଣ ମହିଳା ଅଛନ୍ତି। ରାଜ୍ୟର ୪୦, ୭୮,୬୮୧ ଭୋଟର ଆଜି ନିଜ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଦ୍ୟରୁ ୧୯, ୯୩, ୯୩୭ ଜଣ ପୁରୁଷ ଥିବା ବେଳେ ୨୦,୮୪,୬୭୫ ମହିଳା ଅଉନ୍ତି। ସେମାନଙ୍କୁ ବାଦ ଦେଲେ ୬୯ ଜଣ ତୃତୀୟ ଲିଙ୍ଗ ଭୋଟର ବି ଆଜି ନିଜ ମତାଧିକାର ସାବ୍ୟସ୍ତ କରିବେ।
ସୁରୁଖୁରୁରେ ମତଦାନ ସମ୍ପନ୍ନ କରାଇବା ନିମନ୍ତେ ୫,୩୦୪ ମତଦାନ କେନ୍ଦ୍ର କରାଯାଇଥିବା ବେଳେ ୨୫ ହଜାରରୁ ଅଧିକ କର୍ମଚାରୀ ମୁତୟନ ହୋଇଛନ୍ତି।
ନକ୍ସଲ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି। ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୁଲିଂ ଟିମ୍ ଯାଇଛନ୍ତି। ପ୍ରଥମଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ।
ଛତିଶଗଡ଼ ସୁକମାରେ ନିର୍ବାଚନ ଆରମ୍ଭ ହେଉ ହେଉ ଘଟିଛି ହିଂସାକାଣ୍ଡ । ସୁକମାର ଟୋଣ୍ଡାମରକା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା IED ବ୍ଲାଷ୍ଟ ହୋଇଥିବା ବେଳେ ସିଆରପିଏଫର ଜଣେ କୋବ୍ରା ବଟାଲିଅନ ଯବାନ ଆହତ ହୋଇଛନ୍ତି। ଯବାନଜଣକ ନିର୍ବାଚନ ଡ୍ୟୁଟିରେ ମୁତୟନ ହୋଇଥିଲେ।
ନକ୍ସଲ ଗଡ କୁହାଯାଉଥିବା କେବଳ ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏଥିମଧ୍ୟରେ ୪୦ ହଜାର CAPF ଏବଂ ୨୦ ହଜାର ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନକ୍ସଲ ଦମନ ପାଇଁ କୋବ୍ରା ବାହିନୀ ସହ ମହିଳା କମାଣ୍ଡୋ ନିୟୋଜିତ ହୋଇଛନ୍ତି।
Comments are closed.