ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନର ରାଷ୍ଟ୍ରପତି ଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହାମାସ ସଂଘର୍ଷ ଉପରେ ମତ ବିନିମୟ କରିଥିଲେ।ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ।

ଉତ୍ତେଜନାକୁ ରୋକିବା, ନିରନ୍ତର ମାନବିକ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିର ସମୀକ୍ଷା ଓ ସକାରାତ୍ମକ ଆକଳନ ମଧ୍ୟ ନେତାମାନେ କରିଥିଲେ। ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଇରାନର ଚାବାହାର ବନ୍ଦରଉପରେ ଦିଆଯାଇଥିବା ଗୁରୁତ୍ୱ ଏବଂ ପ୍ରାଥମିକତାକୁ ସେମାନେ ସ୍ୱାଗତ କରିଥିଲେ। ଆଞ୍ଚଳିକ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଆଗ୍ରହକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Comments are closed.