ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ପ୍ରକାଶିତ

ମାଲକାନଗିରି, ଅପୂର୍ବ ଥଣ୍ଡର : ଜିଲ୍ଲାରେ ଗତକାଲି ଭୋଟର ତାଲିକା ସଂଶୋଧନ ପାଇଁ ଚିଠା ପ୍ରକାଶିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ନୂତନ ଜିଲ୍ଲାପାଳ ଡ.ୱାଇ.ବିଜୟଙ୍କ ଅଧକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଠାରେ ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ନଭେମ୍ବର ୧୬ ତାରିଖରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଦାବି, ଆପତ୍ତି ଓ ଅଭିଯୋଗ ଅନୁସାରେ ତ୍ରୁଟି ସଂଶୋଧନ କରାଯାଇପାରିବ। ଏହା ବ୍ୟତିତ ଦୁଇଟି ଶନିବାର ଓ ରବିବାର ବୁଥ ସ୍ତରରେ ଅଧିକାରୀ ମାନେ ସ୍ଵତନ୍ତ୍ର ଅଭିଯାନ କରି ସାଧାରଣ ଭୋଟରଙ୍କ ଠାରୁ ଅଭିଯୋଗ ଗ୍ରହଣ କରିପାରିବେ। ସେହିପରି ସମସ୍ତ ବୁଥରୁ ଅଭିଯୋଗ ଗ୍ରହଣ କରି ସାରିବା ପରେ ଉପ-ଜିଲ୍ଲାପାଳ ଓ ସରକାରୀ ରିଟର୍ଣ୍ଣିଂ ଅଫିସର ତୁରନ୍ତ ତାଲିକାର ଫଇସଲା କରିବେ। ପରେ ଏହା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହେବା ପରେ ଆସନ୍ତା ଜାନୁୟାରୀ ୧୫ ତାରିଖ ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଏହି ଭୋଟର ତାଲିକା ସଂଶୋଧନ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଉପ-ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଇଲେକ୍ସନ ବିଭାଗର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଶ୍ଵିନୀ ଭୂୟାଁ, କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ଗୋବିନ୍ଦ ପାତ୍ର, ଶ୍ରୀ ରାମପ୍ରସାଦ ପଟ୍ଟନାୟକ, ବିଜେଡି ତରଫରୁ ଶ୍ରୀ ଧନୁର୍ଜୟ ମାଡକାମି, ଶ୍ରୀ ଶଙ୍କର ସାହା ଓ ଜଗବନ୍ଧୁ ପାଡିଆରି, ବିଜେପି ତରଫରୁ ଶ୍ରୀ ସଞ୍ଜୟ ସରକାର, ଶ୍ରୀ ମାନିକ ଲାଲ ଚକ୍ରବର୍ତ୍ତୀ, ସି.ପି.ଏମ ଦଳ ତରଫରୁ ଶ୍ରୀ ବ୍ରଜ ମାଝି, ବି.ଏସ.ପି ତରଫରୁ ଜରା ଶବର ମାଢି ଉପସ୍ଥିତି ଥିଲେ।

Comments are closed.