କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

ଲଣ୍ଡନ: ଉତ୍ତର-ପଶ୍ଚିମ ଇଂଲଣ୍ଡ୍‌ର କୌଣସି ଏକ ସ୍ଥାନକୁ କାର୍‌ରେ ବସି ଯିବା ବେଳେ ସାମାଜିକ ଗଣମାଧ୍ୟମ ପାଇଁ ଭିଡିଓ କ୍ଲିପ୍‌ଟିଏ ସୁଟିଙ୍ଗ୍‌ କରିବା ଅବସରରେ ସିଟ୍‌ ବେଲ୍‌ଟ୍‌ ଖୋଲି ପକାଇ ଭୁଲ୍‌ କରିଥିବା ସ୍ବୀକାର କରି ଗୁରୁବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମାଭିକ୍ଷା କରିଛନ୍ତି।

ସୁନକଙ୍କ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ମୁଖପାତ୍ର କହିଛନ୍ତି, ସ‌େ ଅଳ୍ପ ସମୟ ପାଇଁ ସିଟ୍‌ ବେଲ୍‌ଟ୍‌ ଖୋଲି ପକାଇ ଭୁଲ୍‌ କରିଥିବା କଥା ସ୍ବୀକାର କରିଛନ୍ତି।
ପ୍ରଧାନମନ୍ତ୍ରୀ ସୁନକଙ୍କ ମୁଖପାତ୍ର କହିଛନ୍ତି, ଇଂଲଣ୍ଡ୍‌ର ଉତ୍ତରାଞ୍ଚଳ ଗସ୍ତ ସମୟରେ ସାମାଜିକ ଗଣମାଧ୍ୟମ ନିମନ୍ତେ ଭିଡିଓ କ୍ଲିପ୍‌ ସୁଟିଙ୍ଗ୍‌ କରିବା ଲାଗି ସେ ସ୍ବଳ୍ପ ସମୟ ପାଇଁ ସିଟ୍‌ ବେଲ୍‌ଟ୍‌ ଖୋଲି ପକାଇ ଭୁଲ୍‌ କରିଛନ୍ତି।

‘ପଲିଟିକୋ’ ରିପୋର୍ଟ ଅନୁସାରେ, ‘ଇନ୍‌ଷ୍ଟାଗ୍ରାମ୍‌’ ନିମନ୍ତେ ରେକର୍ଡ କରାଯାଇଥିବା ଉକ୍ତ କ୍ଲପ୍‌ରେ ସୁନକ୍‌ ଚଳନ୍ତା ଗାଡ଼ିରେ ଯାଉଥିବା ବେଳେ ସୁରକ୍ଷା ଉପକରଣ ବିନା କ୍ୟାମେରା ସମ୍ମୁଖରେ କଥା କହୁଥିଲେ।

ବ୍ରିଟିସ୍‌ ଆଇନ ଅନୁସାରେ, ଗାଡ଼ି ଚାଲୁଥିବା ଅବସ୍ଥାରେ ସିଟ୍‌ ବେଲ୍‌ଟ୍‌ ନ ପିନ୍ଧିଥିଲେ ୫୦୦ ପାଉଣ୍ଡ୍‌ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼େ। ଅବଶ୍ୟ ଜରୁରୀକାଳୀନ ସେବା ପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଜରିମାନା ଛାଡ଼ କରାଯିବାର ବ୍ୟବସ୍ଥା ରହିଛି।

ସରକାରୀ କାର୍‌ରେ ଯାଉଥିବାରୁ ସୁନକଙ୍କୁ ଜରିମାନା ଛାଡ଼ କରାଯାଏ କି ବୋଲି ପଚାରିବାରୁ ମୁଖପାତ୍ର ସାମ୍ବାଦିକମାନଙ୍କୁ କହିଲେ, ଭୁଲ୍‌ବଶତଃ ସେ ଏମିତି କରିପକାଇଛନ୍ତି ଓ ସେଥିପାଇଁ କ୍ଷମା ପ୍ରାର୍ଥନା ବି କରିଛନ୍ତି। ପୂର୍ବରୁ କରୋନାଭାଇରସ୍‌ ନିୟମ ଉଲ୍ଲଂଘନ କରି ପୁଲିସକୁ ଜରିମାନା ଦେଇଥିବା ସୁନକ ଆଜିର ଘଟଣାକୁ ଭୁଲ୍‌ ବୋଲି ମାନିନେବା ସହିତ କ୍ଷମା ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁନକଙ୍କ ନିଜସ୍ବ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟ୍‌ରେ ପୋଷ୍ଟ୍‌ ହୋଇଥିବା ଉକ୍ତ ଭିଡିଓ କ୍ଲିପ୍‌ଟିକୁ ଡିଲିଟ୍‌ କରାଯାଇଛି।

Comments are closed.