ତୁର୍କୀ ଭୂମିକମ୍ପ ୪୧ ହାଜର ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ : ତୁର୍କୀ ଓ ସିରିୟା ଭୂକମ୍ପକୁ ୧୦ ଦିନ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳ ପ୍ରତିଦିନ ଅନେକ ଲୋକଙ୍କୁ ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରୁଛନ୍ତି। ଏହାଦ୍ବାରା ଅଧିକ ଲୋକ ଜୀବିତ ଥିବା ଆଶା ସଞ୍ଚାର ହେଉଛି। ମଙ୍ଗଳବାର ଦିନ ୯ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ଜାରି ରହିଥିଲେ ବି ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‌ବୋଲି ଜାତିସଂଘ ଅଧିକାରୀମାନେ କହିଛନ୍ତି। ସେମାନେ ଏବେ ଖାଦ୍ୟ, ବାସସ୍ଥାନ, ସ୍କୁଲ, ମେଡିସିନ ଏବଂ ଅନ୍ୟ ଦିଗ ଉପରେ ଗୁରୁତ୍ବାରୋପ କରୁଥିବା ଜାତିସଂଘ ଅଧିକାରୀମାନେ କହିଛନ୍ତି।

ତୁର୍କୀର ଫିଲ୍ଡ ହସ୍ପିଟାଲରେ ଏବେ ଲୋକମାନେ କେବଳ ଶାରୀରିକ ଭାବେ ଆହତ ହୋଇ ଚିକିତ୍ସା ହେଉନାହାନ୍ତି ଶାରୀରିକ ଆଘାତ ସହ ଅନେକ ଲୋକ ଭୀଷଣ ମାନସିକ ଆଘାତର ଶିକାର ହୋଇଛନ୍ତି। ଭୂକମ୍ପ ବହୁତ ଲୋକଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଅନେକ ଲୋକ ‘ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ୍‌ ଡିଜଅର୍ଡର’ରେ ପୀଡ଼ିତ ହୋଇଛନ୍ତି। ଉଭୟ ତୁର୍କୀ ଏବଂ ସିରିୟାରେ ଭୂକମ୍ପର ଭୟଙ୍କର ମାନସିକ ପ୍ରଭାବ ‌ଦେଖାଦେଇଛି। ତୁର୍କୀ ଏବଂ ସିରିୟାରେ ଅନେକ ପରିବାର ସଦସ୍ୟ କହିଛନ୍ତି, ସେମାନଙ୍କ ପିଲା ଭୂକମ୍ପ ପରେ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଉଭୟ ତୁର୍କୀ ଏବଂ ସିରିୟାରେ ମୃତ୍ୟୁସଂଖ୍ୟା ୪୧ ହଜାର ଟପିଯାଇଛି। ସିରିୟାରେ ପ୍ରା‌ୟ ୯୦ ଲକ୍ଷ ଲୋକ ଭୂକମ୍ପ ଯୋଗୁଁ ପ୍ରଭାବିତ ହୋଇଛନ୍ତି।

ତୁର୍କୀର ଅନେକ ଭୂକମ୍ପ ପ୍ରଭାବିତ ଅଞ୍ଚଳରୁ ଗଣ ପଳାୟନ ଆରମ୍ଭ ହୋଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଅନେକ ରିଲିଫ୍‌ ସେଲ୍ଟର ଖୋଲାଯାଇଛି। ଆଦନାନ୍‌ ମେଡ୍ରେସର ଗଭର୍ଣ୍ଣରଙ୍କ ଘରକୁ ଭୂକମ୍ପ ପ୍ରଭାବିତଙ୍କ ପାଇଁ ଆଶ୍ରୟସ୍ଥଳରେ ପରିଣତ କରାଯାଇଛି। ଏଥିସହ ଓସମାନିୟେ ଜିଲ୍ଲାରେ ପୁଲିସ ବିଭାଗର ଅଫିସ ଏବଂ ଫୁଟବଲ ଫିଲ୍ଡ ଭୂକମ୍ପ ପୀଡ଼ିତଙ୍କ ଆଶ୍ରୟସ୍ଥଳ ପାଲଟିଛି। ପାର୍କ, ୱାଟର ପାର୍କ ଏବଂ ଷ୍ଟାଡିୟମକୁ ମଧ୍ୟ ଭୂକମ୍ପ ଆଶ୍ରୟସ୍ଥଳରେ ପରିଣତ କରାଯାଇଛି। ‌ସେହିପରି ସରକାରୀ କୋଠା ଏବଂ ଜିଲ୍ଲା ସୁରକ୍ଷା ଅଫିସଗୁଡ଼ିକ ମଧ୍ୟ ରିଲିଫ୍‌ ସେଣ୍ଟରରେ ପରିଣତ ହୋଇଛି।

Comments are closed.