ତୁର୍କୀ ଭୂମିକମ୍ପ, ୩୩ ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ : ସିରିୟା ଓ ତୁର୍କୀରେ ଭୂକମ୍ପଜନିତ ମହାବିପର୍ଯ୍ୟାୟ ପାଇଁ ୨୬ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ଅଞ୍ଚଳରେ ଜରୁରୀ ସହାୟତା ଅପେକ୍ଷାରେ ରହିଛନ୍ତି। ଭୂକମ୍ପ ମୃତ୍ୟୁ ସଂଖ୍ୟା ଆଜି ୩୩ ହଜାର ଅତିକ୍ରମ କରିଛି। କେବଳ ତୁର୍କୀରେ ୨୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିୟାରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତୁର୍କୀ ସରକାର ବିଭିନ୍ନ ରାଷ୍ଟ୍ରର ସହାୟତାରେ ଲୋକଙ୍କୁ ରିଲିଫ୍‌ ପହଞ୍ଚାଇବା ଜାରି ରଖିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ। ଲକ୍ଷାଧିକ ଲୋକଙ୍କ ପାଖରେ ଜରୁରୀ ସେବା ଓ ଖାଦ୍ୟ ପହଞ୍ଚୁନଥିବାରୁ ଆଗକୁ ଏହା ବହୁତ ବଡ଼ ମାନବୀୟ ସଙ୍କଟ ସୃଷ୍ଟି କରିପାରେ ବୋଲି ଆଜି ଜାତିସଂଘ ଆଶଙ୍କା ବ୍ୟକ୍ତ କରିଛି।

ଜାତିସଂଘ ରିଲିଫ୍‌ ମୁଖ୍ୟ ମାର୍ଟିନ ଗ୍ରିଫିଟ୍‌ସ କହିଛନ୍ତି, ବର୍ତ୍ତମାନର ସ୍ଥିତି ଆକଳନରୁ ଯାହା ଜଣାପଡ଼ୁଛି ଭୂକମ୍ପ ମୃତ୍ୟୁ ୫୦ ହଜାର ଅତିକ୍ରମ କରିଯିବ। ସିରିୟାରେ ଉଦ୍ଧାର ଓ ସହାୟତା କ୍ଷେତ୍ରରେ ବଡ଼ ବିଫଳତା ଦେଖିବାକୁ ମିଳିଛି ଏବଂ ଏଥିପାଇଁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିବା ଆଶଙ୍କା କରାଯାଉଛି। ଏ ପର୍ଯ୍ୟନ୍ତ ମିଳିଥିବା ଅନ୍ତର୍ଜାତୀୟ ସହାୟତା ପର୍ଯ୍ୟାପ୍ତ ନଥିବା ବେଳେ ହଜାର ହଜାର କୋଠାର ଧ୍ବଂସାବଶେଷ ଖୋଳି ପୀଡ଼ିତଙ୍କୁ ଉଦ୍ଧାର କରିବା ବହୁତ ବଡ଼ ଚ୍ୟାଲେଂଜ ହୋଇଛି। ତୁର୍କୀରେ ଏବେ ଲକ୍ଷାଧିକ ଉଦ୍ଧାରକାରୀ ସଦସ୍ୟ ନିୟୋଜିତ ଅଛନ୍ତି ଏବଂ ଏହି ପ୍ରକ୍ରିୟା ଅନେକ ଦିନ ଧରି ଚାଲିବ। ଅନ୍ୟପକ୍ଷରେ ସିରିୟାରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ।

ତୁର୍କୀର ଭୂକମ୍ପ ପ୍ରଭାବିତ ଅଞ୍ଚଳରୁ ଏବେ ବହୁ ସଂଖ୍ୟାରେ ଲୋକଙ୍କ ପଳାୟନ ଆରମ୍ଭ ହୋଇଛି। ପ୍ରଭାବିତ ଅଞ୍ଚଳରେ ଭୂକମ୍ପ ପରବର୍ତ୍ତୀ କ୍ଷୟକ୍ଷତି ଅତି ଭୀଷଣ ଥିବା ବେଳେ ସମଗ୍ର ଅଞ୍ଚଳ ଅସୁରକ୍ଷିତ ହୋଇପଡ଼ିଥିବାରୁ ଲୋକେ ଏବେ ଇସ୍ତାନବୁଲ, ଅଙ୍କାରା ଆଦି ସୁରକ୍ଷିତ ଅଞ୍ଚଳକୁ ଯିବାପାଇଁ ଚାହୁଛନ୍ତି। ତୁର୍କୀ ଏୟାରଲାଇନ୍ସ ଏବଂ ପେଗାସସ ଏୟାରଲାଇନ୍ସ ପକ୍ଷରୁ ଲୋକଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରାଯାଇଛି। ଲକ୍ଷାଧିକ ଲୋକ ଇସ୍ତାନବୁଲ, ଅଙ୍କାରା, ଅଣ୍ଟାଲିଆ ଆଦି ଅଞ୍ଚଳରେ ପହଞ୍ଚିବା ପରେ ସେମାନଙ୍କ ରହିବା ପାଇଁ ବିଭିନ୍ନ କଲେଜ, ବିଶ୍ବବିଦ୍ୟାଳୟ ଏବଂ କେତେକ ହୋଟେଲରେ ଅସ୍ଥାୟୀ ବ୍ୟବସ୍ଥା କରାଯାଉଛି। ପ୍ରଭାବିତ ଅଞ୍ଚଳ ଗାଜିଆଣ୍ଟେପ, ହଟାଇ, ନୁର୍ଡାଗି ଏବଂ ମାରାସରୁ ଦୁଇ ଦିନ ଭିତରେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଭିଟାମାଟି ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଥିବା ଜଣାପଡ଼ିଛି।

Comments are closed.