ଉପରାଷ୍ଟ୍ରପତିଙ୍କୁ ଆଙ୍ଗୁଠି ଦେଖାଇଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚାଲିଥିବାବେଳେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଗୃହର ମଧ୍ୟଭାଗକୁ ଆସି ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଆଙ୍ଗୁଳି ଦେଖାଇବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବିଜେପି ନେତାମାନେ ଏହି ଭିଡିଓକୁ ସେୟାର କରିବା ସହିତ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମର ୟୁଜରମାନେ ଫଟୋଗ୍ରାଫରମାନଙ୍କୁ ଜୟା ବଚ୍ଚନ ସାଧାରଣରେ କରୁଥିବା ବ୍ୟବହାର ସହିତ ଏହି ବ୍ୟବହାରକୁ ତୁଳନା କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଉପଦେଷ୍ଟା କାଞ୍ଚନ ଗୁପ୍ତା କହିଛନ୍ତି, ଉକ୍ତ ଭିଡ଼ିଓ ମୋତେ ଉପା ସରକାରଙ୍କ ଅମଳର କଥା ମନେ ପକାଇ ଦେଇଛି। ଉପା ସରକାର ଥିବା ସମୟରେ ଜୟା ଅତି କଡ଼ା ଭାଷା ପ୍ରୟୋଗ କରିଥିଲେ। ଅମିତାଭ ବଚ୍ଚନ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ଆଗେଇ ଆସିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି।

ଭାଇରାଲ ହୋଇଥିବା ଭିଡ଼ିଓଟି ଗତ ୯ ତାରିଖର । ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ପାଟିତୁଣ୍ଡ ଚାଲିଥିଲା। ସେହି ସମୟରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବାରୁ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କୁ ବଜେଟ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକରୁ ନିଲମ୍ବିତ କରାଯାଇଥିଲା। ତେବେ ଏହି ସମୟରେ ଜୟା ରଜନୀଙ୍କ ସପକ୍ଷରେ ବାହାରିଥିଲେ। ତାଙ୍କ ମତ ସ୍ପଷ୍ଟ କରିବା ଲାଗି ଉପଯୁକ୍ତ ସୁଯୋଗ ଦିଆଯାଇ ନାହିଁ। ଅତି ଅପମାନଜନକ ଢଙ୍ଗରେ ଏହା କରାଯାଇଛି ବୋଲି ଜୟା ଅଭିଯୋଗ କରିଥିଲେ।

Comments are closed.