ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି ଏକହିଲେ ମୋଦି

ଦୌସା : ରାଜସ୍ଥାନରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି କଂଗ୍ରେସକୁ ଘେରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି । ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନରେ ଦ୍ବିତୀୟ ଥର ରାଜସ୍ଥାନରେ ଗସ୍ତରେ ଆସିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପୁରୁଣା ବଜେଟ୍‌ ପଢ଼ିଥିବାରୁ ସମାଲୋଚନା କରିଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେର ପ୍ରଥମ ପର୍ଯ୍ୟାୟକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ଏକ ଜନସଭାରେ ରାଜସ୍ଥାନର ବିକାଶ କାର୍ଯ୍ୟରୁ ଆରମ୍ଭ କରି ଆଇନ ବ୍ୟବସ୍ଥାକୁ ନେଇ କଂଗ୍ରେସ ସରକାରକୁ ଘେରିଛନ୍ତି। ଗେହଲଟ ପୁରୁଣା ବଜେଟ୍‌ ପଢ଼ିବା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଏକ ୪୦ ବର୍ଷ ପୁରୁଣା ଉପାଖ୍ୟାନ ଶୁଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି- ୪୦ ବର୍ଷ ତଳେ ମୁଁ ରାଜନୀ‌ତିରେ ନଥିଲି। ଆର୍‌ଏସ୍‌ଏସ୍‌ ପାଇଁ କାମ କରୁଥିଲି। ସାଧାରଣ ଭାବେ ସଂଘ ପରିବାରର କୌଣସି ସଦସ୍ୟଙ୍କ ଘରେ ଭୋଜନ ପାଇଁ ଆମେ ଯାଉଥିଲୁ। ଦିନେ କାମ କରି ଫେରିବା ପରେ ଜଣେ ବନ୍ଧୁ କହିଲେ ଭୋଜନ ପାଇଁ କ’ଣ ବ୍ୟବସ୍ଥା ରହିଛି । ଏଥିରେ ମୁଁ କହିଥିଲି ଯେ ବାହାରୁ ଫେରୁଛି ଏବଂ ସ୍ନାନ କରିବା କାମ ବାକି ଅଛି। ଏହା ପରେ ବନ୍ଧୁ କହିଲେ, ଜଣେ ସ୍ବୟଂସେବକ ସାଥୀଙ୍କ ଘରେ ବିବାହ ଉତ୍ସବ ପାଇଁ ଆମକୁ ନିମନ୍ତ୍ରଣ ଅଛି ଏବଂ ସେଠାକୁ ଯାଇ ଭୋଜନ କରିବା। ଏହାପରେ ଆମେ ନିମନ୍ତ୍ରଣକାରୀ ସ୍ବୟଂସେବକଙ୍କ ଘରେ ଯାଇ ପହଞ୍ଚିଲୁ। ଯାହାଙ୍କ ଘରେ କାର୍ଯ୍ୟକ୍ରମ ଥିଲା ସେ ଜଣେ ଦର୍ଜି ଥିଲେ ଏବଂ ଘର ବାହାରେ କାମ କରୁଥିଲେ। ମୁଁ ତାଙ୍କୁ ନମସ୍କାର କଲି ଏବଂ ଦେଖିଲି ସେଠାରେ ବିବାହ କାର୍ଯ୍ୟକ୍ରମର କୌଣସି ବାତାବରଣ ନାହିଁ। ସାଥୀ ସ୍ବୟଂସେବକ ଘର ଭିତରକୁ ଯାଇ ଆଜି ବିବାହ ପାଇଁ ନିମନ୍ତ୍ରଣ ଥିଲା ବୋଲି କହିଥିଲେ। ଏହାର ଉତ୍ତରରେ ଦର୍ଜି ସାଥୀ ଜଣକ କହିଥିଲେ ଯେ ବାହାଘର ଗତମାସରେ ହୋଇଯାଇଛି। ଏହାପରେ ସେ ନିମନ୍ତ୍ରଣ କାର୍ଡ ବାହାର କରି ତାରିଖ ଦେଖିଲେ ଏବଂ ସେଥିରେ ଗତମାସରେ ସେହିଦିନର ତାରିଖ ଲେଖାଥିଲା। ମୁ ଆଶ୍ଚର୍ଯ୍ୟ ହେଲି ଏବଂ ବିନା ଖାଦ୍ୟରେ ଆମ ଫେରିଆସିଲୁ।

ଏହି ଉପାଖ୍ୟାନ ଶୁଣାଇ ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ଲୋକ ବି ଭୁଲ୍‌ କରିପାରେ। କିନ୍ତୁ କଂଗ୍ରେସ ପାଖରେ ଭିଜନ ନାହିଁ କି ବିକାଶ ପାଇଁ କୌଣସି ଲକ୍ଷ୍ୟ ନାହିଁ। କଂଗ୍ରେସ କେବଳ ଘୋ‌ଷଣା କରି ଲୋକଙ୍କୁ ଠକିବା ଜାଣେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ବିଧାନସଭାରେ କେଉଁ ବଜେଟ୍‌ ଭାଷଣ ପଢ଼ିଥିଲେ ତାହା ପ୍ରଶ୍ନ ନୁହେଁ, ପ୍ରଶ୍ନ ହେଉଛି ବର୍ଷକ ତଳେ ଯେଉଁ ଭାଷଣ ସେ ପଢ଼ିଥିଲେ ତାହାକୁ ସେ ବକ୍ସରେ ବନ୍ଦ କରି ରଖିଥିଲେ ଏବଂ ତାହାକୁ ପୁଣି ବାହାର କରି ପଢ଼ିଦେଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ରାଜସ୍ଥାନରେ ଡବଲ ଇଂଜିନ ସରକାର ଥାଆନ୍ତା ତେବେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଥାନ୍ତା।

Comments are closed.