ପିଲାଙ୍କୁ ଆକୃଷ୍ଟ କରିବ ଟ୍ରି ଲାଇବ୍ରେରୀ

ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଲାଗି ପାଠାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆଜିକାଲିର ମୋବାଇଲ ଯୁଗରେ ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବାକୁ ପ୍ରେତ୍ସାହିତ କରିବାକୁ ଆସାମର ଜୋରହାଟରେ ହୋଇଛି ଏକ ନିଆରା ପ୍ରୟାସ । ସେଠାରେ ଗଛ ଉପରେ ପାଠାଗାର ଖୋଲିଛି ।

ଏକ ସ୍ୱେଚ୍ଛାସେବୀ ସଂଗଠନ ଜେସିଆଇ ଫେମିନାର ଜୋରାହାଟ ଶାଖା ପକ୍ଷରୁ ମାରିଆନିରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଠାଗାରଟି ଆଭମ୍ଭ କରାଯାଇଛି । ସେଥିରେ କମିକ୍ସ, ଉପନ୍ୟାସ, ଆତ୍ମଜୀବନୀମୂଳକ ପୁସ୍ତକ ସହ ଆସାମୀ, ହିନ୍ଦୀ ଓ ଇଂରେଜ ଭାଷାରେ ଅନ୍ୟ ବିଭନ୍ନ ପ୍ରକାର ପୁସ୍ତକ ଉପଲବ୍ଧ । ଏ ସଂପର୍କରେ ଏନଜିଓର ସଭାପତି ଦୀପିକା ପୋଦ୍ଦାର କହିଛନ୍ତି, ଲାଇବ୍ରେରୀ ଖୋଲିବାକୁ ଆମେ ସ୍କୁଲରୁ ଅନୁମତି ଆଣିଥିଲୁ । ତା’ପରେ ଜଣେ ବଢେ଼ଇଙ୍କୁ ଡ଼ାକି ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ବିଶେଷ କରି ପାତ୍ରଗୁଡ଼ିକ ବ୍ୟବହାର କରି ଗଛରେ ଥାକ କଲୁ ।

ସେପ୍ଟେମ୍ବର ୩ ତାରିଖରେ ୬୦୦ ପୁସ୍ତକ ଥିବା ଏହି ପାଠାଗାରର ଆରମ୍ଭ ହୋଇଛି । ସେହିଭଳି ଜେସିଆଇ ଫେମିନାର ସମ୍ପାଦକ ଶିବାନୀ ଅଗ୍ରୱାଲ କହିଛନ୍ତି, ଏଥିଲାଗି ଆମେ ୧୫ ହଜାର ଟଙ୍କା ଖର୍ଚ୍ଚ କରିଛୁ । ପାଠାଗାର ପାଇଁ ସ୍କୁଲ ପକ୍ଷରୁ ଜଣେ ଶିକ୍ଷକଙ୍କୁ କରିବାକୁ ବି ଯୋଜନା କରାଯାଉଛି । ଏହି ଗଛ ଲାଇବ୍ରେରୀକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଗଛ ଲାଇବ୍ରେରୀରେ ଥିବା ବହି ଥାକରୁ ବହି ଆଣି ପଢ଼ିବା ସେମାନଙ୍କୁ ଗଛରୁ ଫୁଲ ତୋଳିବା ଭଳି ଆନନ୍ଦ ଦେଉଛି । ଭବିଷ୍ୟତରେ ସେଠାରେ ଆହୁରି ଅଧିକ ବହି ରଖିବା ଓ ଅନ୍ୟସ୍ଥାନକୁ ଏହି ଅଭିଯାନକୁ ପରିବ୍ୟାପ୍ତ କରିବା ଆମର ଲକ୍ଷ୍ୟ ।

Comments are closed.