ଆଜି ମହାପ୍ରଭୁଙ୍କ ‘ପଦ୍ମବେଶ’
ପୁରୀ, ଜ୍ୟୋତିମର୍ୟୀ ପରିଡ଼ା : ଭଗବାନ ଯୁଗେ ଯୁଗେ ଭକ୍ତର ଭାବଡୋରିରେ ଆବଦ୍ଧ ।ମହାବାହୁଙ୍କ ପ୍ରତ୍ୟେକଟି ବେଶ ଭକ୍ତମାନଙ୍କୁ ଭାବ ବିହ୍ୱଳ କରିଥାଏ । ପବିତ୍ର ମାଘମାସ ଶୁକ୍ଳ ଦ୍ଵିତୀୟା ତିଥିର ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ । କେତେକ ଗବେଷକଙ୍କ ମତରେ ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡଛତା ମଠର ରଘୁବର ଦାସ ।
କାହିଁ କେତେ ବର୍ଷ ବିତିଗଲାଣି ପୂର୍ବରୁ ବର୍ଣ୍ଣିତ କିମ୍ବଦନ୍ତୀ ଅନୁସାରେ ଉତ୍କଳଠାରୁ ଅନନ୍ତି ଦୂରରେ ଜଣେ ହିନ୍ଦୀ ଭାଷୀ ସାଧୁ ଥିଲେ । ତାଙ୍କର ନାମ ଥିଲା ମନୋହର ଦାସ । ଏକଦା ଏହି ମହାତ୍ମା ଜଣଙ୍କ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ, ନଦୀ-ନାଳ ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ୱେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି ।କଷ୍ଟସାଧ୍ୟ ଯାତ୍ରା ହେତୁ ସେ ପିପାସୁ ହୋଇପଡିଲେ । ସେହି ସମୟରେ ରଘୁବରଙ୍କୁ ଗୋଟିଏ ପୁଷ୍କରିଣୀ ଦୃଶ୍ୟମାନ ହେଲା । ସେଥିରେ ଅନେକ ପଦ୍ମ ଫୁଲ ଫୁଟିଥିଲା । ସେ ସମୟରେ ପଦ୍ମ ଫୁଲ ଫୁଟିବା ସମୟ ନ ଥିଲା ରଘୁବର ଚିନ୍ତିତ ହୋଇ ପଡିଲେ ।
ସେ ମନେ ମନେ ଜଗନ୍ନାଥଙ୍କୁ ସ୍ମରଣ କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ବାନ୍ଧି ସାଇତି ରଖିଥିଲେ । ମାଘ ମାସ ଅମାବସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲଗୁଡିକୁ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ଫୁଲକୁ ଦେଖି ପଣ୍ଡା ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ଅପମାନିତ କରିଥିଲେ । ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡିଲେ ।
ସେହିଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜଙ୍କୁ କହିଲେ ମନୋହର ଆଣିଥିବା ପଦ୍ମ ଫୁଲରେ ହିଁ ଆଜି ମୋର ବଡସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର । ଏହା ପରଠାରୁ ମାଘମାସରେ ଏହି ବେଶରେ ଶ୍ରୀ ବିଗ୍ରହମାନଙ୍କୁ ସୋଲରେ ନିର୍ମିତ ପଦ୍ମ ପୁଷ୍ପରେ ସୁସଜ୍ଜିତ କରାଯାଏ।
ଏହି ବେଶର ସମସ୍ତ ଖର୍ଚ୍ଚ ବଡଛତା ମଠ ବହନ କରନ୍ତି । ସୋଲର ପଦ୍ମରେ ତିନି ପାଖୁଡା ଥାଏ । ହସ୍ତରେ କଦମ୍ବ ଫୁଲର କର ପଲ୍ଲବ ଶୋଭା ପାଇଥାଏ । ବେଶରେ ବଡଛତା ମଠ ପକ୍ଷରୁ ଯୋଗାଇ ଦିଆଯାଉଥିବା ଭୋଗ ଦ୍ରବ୍ୟକୁ ଶ୍ରୀମନ୍ଦିର କୋଠ ଭୋଗ ଚୁଲିରେ ପ୍ରସ୍ତୁତ କରାଯାଇ ଠାକୁରମାନଙ୍କୁ କ୍ଷୀରି ଅମାଲୁ ଭୋଗ କରାଯାଇଥାଏ । ବେଶ ପରଦିନ ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଏହି ବେଶରେ ଠାକୁର ଦର୍ଶନ କରନ୍ତି ।
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କର ସୂତ୍ରଟି ଚିର ଅକାଟ୍ୟ,ଅଛେଦ୍ୟ ଏକ ଏବଂ ଅଭିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ ।
Comments are closed.