ଆଜି ରାମ ନବମୀ, ଉତ୍ସବ ମୁଖର ଅଯୋଧ୍ୟା

ଆଜି ପବିତ୍ର ଶ୍ରୀରାମ ନବମୀ। ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର। ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସନା, ତପସ୍ୟା, ସତ୍ୟ, ପ୍ରେମ ଏବଂ କର୍ତ୍ତବ୍ୟର ଉଦାହରଣ ଶ୍ରୀରାମ ।

ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ।

ରାମ ନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ। ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ।

ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି। ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ।

Comments are closed.