ଆଜି ହେଉଛି କୋଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସ

ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ଖାଇ ଦେଲେ ମନକୁ ଶାନ୍ତି ମିଳେ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପଖାଳ ଖାଇ ଏହି ଦିନକୁ ପାଳନ କରିଥାନ୍ତି। ଆଉ ପଖାଳ କଂସାରେ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ ।

 

ବିଶେଷ କରି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଗରିବଙ୍କଠାରୁ ଆରମ୍ଭ କରି ଧନୀ ସମସ୍ତେ ପଖାଳ ଖାଆନ୍ତି। ଏପରିକି ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ଖରା ଦିନେ ତ ପଖାଳର ଚାହିଦା ଅଧିକ। ଏହି ସମୟରେ ପ୍ରାୟ ସମସ୍ତେ ପଖାଳ ଖାଆନ୍ତି। ତେଣୁ ଏହି ସମୟରେ ଘର ସହିତ ବଡ଼ ବଡ଼ ହୋଟେଲରେ ବି ଏହା ମିଳିଥାଏ। ଚାଇଁ ପଖାଳ ହେଉ କି ବାସି ପଖାଳ, ସଜ ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ପକା ଯାଇଥାଏ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଇତ୍ୟାଦି। ପଖାଳ ସହିତ ଲୋକେ ଶାଗ, ବଡ଼ିଚୁରା ଓ ବିଭିନ୍ନ ପ୍ରକାର ଭଜା ଖାଆନ୍ତି। ପଖାଳ ଖାଇ ସାରି ତୋରାଣି ମୁନ୍ଦେ ପିଇଦେଲେ ମନକୁ ଶାନ୍ତି ମିଳିଥାଏ। ଏହାର ଲୋକପ୍ରିୟତା ଏତେ ଯେ ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।

Comments are closed.