ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ କାମ ଦେଲାନି ଜ୍ୟୋତିଷ ଔଷଧ, ଜ୍ୟୋତିଷକୁ ହାଣିଦେଲା ସ୍ୱାମୀ

ଯାଜପୁର : ଜ୍ୟୋତିଷ ଔଷଧ ଦେଇଥିଲେ ସ୍ତ୍ରୀ ଫେରିଆସିବ। କିନ୍ତୁ ଫେରିଲାନି ସ୍ତ୍ରୀ। ରାଗ ସୁଝାଗଲା ଜ୍ୟୋତିଷ ଉପରେ। ହତ୍ୟାର ଶିକାର ହେବାକୁ ପଡ଼ିଛି ଜ୍ୟୋତିଷକୁ। ଏମିତି ଏକ ଅଭାବନୀୟ ଘଟଣା ଏବେ ଯାଜପୁର ସହରରେ ଚହଳ ସୃଷ୍ଟି କରିଛି। ସ୍ତ୍ରୀକୁ ଘରକୁ ଫେରାଇ ଆଣିବା ନିମନ୍ତେ ଜଣେ ଜ୍ୟୋତିଷ ଦେଇଥିବା ଔଷଧ କାମ ଦେଲାନାହିଁ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଉକ୍ତ ଜ୍ୟୋତିଷଙ୍କୁ ହାଣି ହତ୍ୟା କରିଛନ୍ତି।

ଏହି ଘଟଣା ଘଟିଛି ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧ ଗାଁରେ। ନିହତ ଜ୍ୟୋତିଷ ଜଣକ ହେଲେ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ମାନିଆ ବାବର(୪୮)। ସେ ଡୁବୁରି ଅଞ୍ଚଳରେ ଏକ ଭଡ଼ା ଘରେ ରହି ଆଖପାଖ ଗ୍ରାମକୁ ଯାଇ ହାତ ଏବଂ ଜାତକ ଦେଖିବା କାର୍ଯ୍ୟ କରି ଆସୁଥିଲେ। ଅଭିଯୁକ୍ତ ଯୁବକ ହେଲେ ବନ୍ଧଗଁାର ଶାନ୍ତନୁ ବେହେରା(୪୨)। ମାନିଆଙ୍କୁ ହତ୍ୟା କରିବା ପରେ ଶାନ୍ତନୁ ମାରଣାସ୍ତ୍ର ସହ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଶାନ୍ତନୁ ପ୍ରାୟ ୯ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇ ପୁତ୍ର ସନ୍ତାନ ରହିଛନ୍ତି। ପାରିବାରିକ ବିବାଦରୁ ତାଙ୍କ ସ୍ତ୍ରୀ ମଝିରେ ମଝିରେ ବାପଘରକୁ ଚାଲିଯାଆନ୍ତି। ପରେ ଶାନ୍ତନ୍ତୁ ବୁଝାଶୁଝା କରି ଘରକୁ ଆଣନ୍ତି। ହେଲେ ପୁଣି କଳହ ହେବା ଯୋଗୁ ଗତ ୮ ମାସ ହେଲା ସ୍ତ୍ରୀ ବାପଘରକୁ ଆଉ ଫେରି ନ ଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ ଶାନ୍ତନୁ ଚେଷ୍ଟା କରି ବିଫଳ ହୋଇଥିଲେ।

ଫଳରେ ସେ ଗଁାକୁ ଆସିଥିବା ଜ୍ୟୋତିଷ ମାନିଆ ବାବରଙ୍କ ସହାୟତା ନେଇଥିଲେ। ପୂଜାପାଠ ଏବଂ ବିଭିନ୍ନ ଔଷଧ ବାବଦକୁ ଶାନ୍ତନୁ ୫ ହଜାର ଟଙ୍କା ଜ୍ୟୋତିଷଙ୍କୁ ଦେଇଥିଲେ। ତେବେ ତାହା କାମ ନ ଦେବାରୁ ଶାନ୍ତନୁ କ୍ରୋଧାନ୍ବିତ ଥିଲେ। ଶୁକ୍ରବାର ଜ୍ୟୋତିଷ ମାନିଆ ବନ୍ଧଗଁା ଆସିଥିବାବେଳେ ଔଷଧର ବିଫଳତାକୁ ନେଇ ତାଙ୍କ ସହିତ ଶାନ୍ତନୁଙ୍କର ବଚସା ହୋଇଥିଲା। ଶେଷରେ ଶାନ୍ତନୁ ଏକ ଫାଉଡାରେ ଜ୍ୟୋତିଷଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜ୍ୟୋତିଷ ମାନିଆଙ୍କ ମୃତ୍ୟୁ ଘଟିଥିଲା।

ସୁକିନ୍ଦା ଥାନା ପୋଲିସ ୧୭୦/୨୨ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଶାନ୍ତନୁଙ୍କ ମୁଣ୍ଡ ଦୋଷ ରହିଛି, ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ବାରମ୍ବାର ମାନସିକ ଅତ୍ୟାଚାର ପାଇ ବାପଘରକୁ ପଳାଇ ଯାଆନ୍ତି।

Comments are closed.